ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ଗସ୍ତରେ ‘ହୁ’ର ମୁଖ୍ୟ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ ଆଜି ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁ ମୁଖ୍ୟଙ୍କୁ ଭାରତକୁ ସ୍ବାଗତ କରିଛନ୍ତି। ଟେଡ୍ରସ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଶ୍ବିକ ସମ୍ମିଳନୀରେ ଯୋଗ ଦେବେ। ପାରମ୍ପରିକ ଔଷଧ ଉପରେ ଏହି ସମ୍ମିଳନୀ ହେବ। ଗୁଜରାଟର ଗାନ୍ଧିନଗରରେ ଅଗଷ୍ଟ ୧୭ ଏବଂ ୧୮ ତାରିଖରେ ଉକ୍ତ କାର୍ୟ୍ୟକ୍ରମ ଅଛି। ଆୟୁଷ ମନ୍ତ୍ରାଳୟର ଏକ ଟ୍ବିଟ୍କୁ ଏକ୍ସରେ ସେୟାର କରି ମୋଦୀ କହିଛନ୍ତି, ‘ନବରାତ୍ରୀ ପାଇଁ ଭଲଭାବେ ପ୍ରସ୍ତୁତ ଥିବା ମୋର ବନ୍ଧୁ ତୁଲସୀ ଭାଇଙ୍କୁ ଭାରତକୁ ସ୍ବାଗତ’।
ଗତବର୍ଷ ଏପ୍ରିଲ ୨୦ରେ ଗାନ୍ଧିନଗରରେ ହୋଇଥିବା ବୈଶ୍ବିକ ଆୟୁଷ ଏବଂ ଉଦ୍ଭାବନ ସମ୍ମିଳନୀରେ ମୋଦୀ ହୁ ମୁଖ୍ୟଙ୍କୁ ଗୁଜରାଟୀ ନାମ ‘ତୁଲସୀ ଭାଇ’ ଦେଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଟେଡ୍ରସ୍ ‘ହୁ’ର ବୈଶ୍ବିକ ସମ୍ମିଳନୀ ଉଦ୍ଘାଟନ କରିବେ। ଏହି କାର୍ୟ୍ୟକ୍ରମରେ ଜି-୨୦ ସ୍ବାସ୍ଥ୍ୟ ମନ୍ତ୍ରୀମାନେ ଯୋଗଦେବେ।