ଚିଲିକା ଓ ଭିତରକନିକାର କେତେ ବେଆଇନ ଘେରି ଉଚ୍ଛେଦ ହୋଇଛି ଆଉ କେତେ ହେବ ସତ୍ୟପାଠ ଦିଅ, ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କେତେ ବେଆଇନ ଘେରି ଉଚ୍ଛେଦ ହୋଇଛି; ଆଉ କେତେ ଘେରି ଉଛେଦ ହେବ; କେତେ ସଂଖ୍ଯାରେ ଅପରାଧିକ ମାମଲା ରୁଜୁ ହୋଇଛି; ସେ ନେଇ ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଘେରି ଉଛେଦ ପରେ ପୁଣି ଘେରି ହେଉଛି; ସେ ନେଇ କଣ ପଦକ୍ଷେପ ନିଆଯାଉଛି; ସେ ସମ୍ପର୍କରେ ଜଣାଇବା ପାଇଁ ନିର୍ଦେଶ ହୋଇଛି। ଏପ୍ରିଲ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲ ଏହି ମାମଲା ପରିଚାଳନା କରୁଛନ୍ତି। ଚିଲିକା ଓ ଭିତରକନିକା ଆର୍ଦ୍ରଭୂମୀ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରାର(ଜୁଡିସିଆଲ) ଏହି ମାମଲା ରୁଜୁ କରିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ, ମତ୍ସ୍ୟ ବିଭାଗ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ପକ୍ଷଭୁକ୍ତ ହୋଇଛନ୍ତି। ଅନ୍ୟପାର୍ଶ୍ବରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ପୂର୍ବରୁ ସତ୍ୟପାଠ ଦାଖଲ କରି ଚିଲିକା ଘେରି ଉଚ୍ଛେଦ ଓ ଚିଲିକା ଉନ୍ନୟନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା ।

ସେହିପରି ଚିଲିକା ଓ ଭିତରକନିକାରେ ରହିଥିବା ନାନାବିଧ ସମସ୍ୟା ଓ ପ୍ରତିକାର ସଂପର୍କରେ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲାଙ୍କ ପକ୍ଷରୁ ଲିଖିତ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ତେବେ ଭିତରକନିକା, ଚିଲିକାରେ ମୋଟର ଚାଳିତ ଡଙ୍ଗା ଓ ବେଆଇନ ଚିଙ୍ଗୁଡି ଘେରି ପାଇଁ ଜଳ ପ୍ରଦୂଷିତ ହେଉଥିବା ଦର୍ଶାଯାଇଥିଲା। ଏହାର ପ୍ରତିକାର ପାଇଁ କୋର୍ଟରେ ପ୍ରସ୍ତାବମାନ ଦିଆଯାଇଥିଲା। ସଂପ୍ରତି ଦେଶର ୧୫ଟି ରାଜ୍ୟରେ ୨୬ଟି ଆର୍ଦ୍ରଭୂମୀ ରହିଥିବାବେଳେ ଓଡିଶାରେ ୨ଟି ରହିଛି। ଏହାର ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଶୁଣାଣି କରି ୧୫ଟି ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.