ଟିକାକରଣ ସର୍ଟିଫିକେଟରେ ତ୍ରୁଟି ସମ୍ପର୍କୀତ ମାମଲା: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋଭିଡ ଟୀକାକରଣରେ ତ୍ରୁଟି ସମ୍ପର୍କୀତ ମାମଲାର ଶୁଣାଣି କରି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପ୍ରିଲ ୫ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପକ୍ଷରୁ ଦାଖଲ ଜବାବରେ ଦର୍ଶା ଯାଇଥିଲା ଯେ କୋଭିଡ ଟିକାକରଣ ସାର୍ଟିଫିକେଟରେ ତାରିଖ ବା କେନ୍ଦ୍ର ସଂକ୍ରାନ୍ତରେ ସଂଶୋଧନ କରାଯିବା ଲାଗି କିଛି ବ୍ୟବସ୍ଥା ନାହିଁ।
ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରି କହିଛନ୍ତି ଯେ ଟିକା ନେଇଥିବା ପ୍ରତି ବ୍ୟକ୍ତିଙ୍କ ଭବିଷ୍ୟତ ଚିକିତ୍ସା ସାର୍ଟିଫିକେଟ ଉପରେ ନିର୍ଭର କରୁଛି। ଭୁଲ ଟିକାକରଣ ସାର୍ଟିଫିକେଟ ପାଇଁ ଦେଶର ନାଗରିକମାନେ ସ୍ବାସ୍ଥ୍ୟଗତ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷ ରଖିବା ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହିତ ଏପ୍ରିଲ ୫ରେ ସଚିବଙ୍କ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି। ଭୁବନେଶ୍ବରର ବାସିନ୍ଦା ଆବେଦନକାରୀ ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ କୋଭାକ୍ସିନ ଟିକାର ପ୍ରଥମ ଓ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ତାଙ୍କୁ ମିଳିଥିବା ସାର୍ଟିଫିକେଟରେ ଟିକାକରଣ ତାରିଖ ଓ କେନ୍ଦ୍ର ସଂପର୍କରେ ଭୁଲ ତଥ୍ୟ ଉଲ୍ଲେଖ କରାଯାଇଥିଲା। ଫଳରେ ବୁଷ୍ଟର ଡୋଜ ନେବାରେ ସମସ୍ୟା ଦେଖା ଦେଇଥିଲା। ବାରମ୍ବାର ଅନୁରୋଧ ପରେ ମଧ୍ୟ ସାର୍ଟିଫିକେଟରେ ସଂଶୋଧନ କରାଯାଇ ନଥିଲା। ଏ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାର୍ଚ୍ଚ ୩ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଦିଷ୍ଟ ୱେବସାଇଟରେ ପ୍ରଭାବିତ ନାଗରିକମାନେ ଆବେଦନ ପାଇଁ ବ୍ୟବସ୍ଥା ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।