କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଆୟ ବ୍ୟୟର ସ୍ୱତନ୍ତ୍ର ଅଡିଟ କର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଆୟ ବ୍ୟୟର ସ୍ୱତନ୍ତ୍ର ଅଡିଟ କରିବା ପାଇଁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୫୭୯ କୋଟି ୪୯ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଥିବା ଜାଣି ପାରି ଏ ନେଇ ସ୍ୱତନ୍ତ୍ର ଅଡିଟ ଉପରେ ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ। ଆଗାମୀ ୬ ମାସ ମଧ୍ୟରେ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଡିଟ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅଡ଼ିଟ ରିପୋର୍ଟକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଜୁଲାଇ ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀ ମୃଣାଳିନୀ ପାଢ଼ୀ ମାମଲା ପରିଚାଳନା କରୁଥିବା ବେଳେ ଖଣ୍ଡପୀଠରେ ସେ ଆଜି ଏକ ନୋଟ ଦାଖଲ କରିଥିଲେ। ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଶ୍ରମିକମାନଙ୍କୁ ସେବା ଯୋଗାଇ ଦେବା ପାଇଁ ରାଜ୍ୟରେ ଏକ ଅନଲାଇନ ପୋର୍ଟାଲ ୨୦୨୨ ମେ ୧ ତାରିଖରୁ ଆରମ୍ଭ ହୋଇଛି। ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡରେ ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ୧୨୬ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଗାଇଡ଼ଲାଇନ ଆଣିଛନ୍ତି।
ସେହି ଗାଇଡ଼ଲାଇନ ଅନୁଯାୟୀ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଆୟ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯିବ। ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡରେ ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ଠିକାଦାର ସେସ ଦାଖଲ କରୁଥିବା ବେଳେ ପଞ୍ଜିକୃତ ଶ୍ରମିକ ମାନେ ପଞ୍ଜିକରଣ ବେଳେ ରେଜିଷ୍ଟ୍ରେସନ ଫି ଆକାରରେ ୫୦ ଟଙ୍କା ଏବଂ ବାର୍ଷିକ ଫି ୨୦ ଟଙ୍କା ଲେଖାଏଁ ଦେବାକୁ ଧାର୍ଯ୍ୟ ହୋଇଛି।
ଏ ସମସ୍ତ ଟଙ୍କା ସେହି ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯିବାର ନିୟମ କରିଛନ୍ତି ସୁପ୍ରିମକୋର୍ଟ। ଏ ସମସ୍ତ ଆୟର ଉତ୍ସ ପାଇଁ କୋତୋଟି ଆକାଉଣ୍ଟ ରହିଛି ନା ସମସ୍ତ ଆୟ ଗୋଟିଏ ଆକାଉଣ୍ଟରେ ଆସୁଛି, ସେ ସମ୍ପର୍କରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।