ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗ: ଅନୁଧ୍ୟାନ କରିବା ପାଇଁ ସରକାରଙ୍କ ତରଫରୁ ଗଠିତ କରାଯାଇଥିବା କମିଟି ଜବାବ ରଖିବାକୁ ସମୟ ନେଇଛନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନର ଆବଶ୍ୟକତା ନଥିବା ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ବେଳେ ବେଞ୍ଚ ସ୍ଥାପନ ନେଇ ଗଠିତ କମିଟିର କଣ ଆବଶ୍ୟକତା ରହିଛି। ହାଇକୋର୍ଟରେ ଏ ନେଇ ଦାୟର ମାମଲାର ଶୁଣାଣି ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗକୁ ଅନୁଧ୍ୟାନ କରିବା ପାଇଁ ସରକାରଙ୍କ ତରଫରୁ ୨୦୧୯ରେ ଗଠନ କରାଯାଇଥିବା କମିଟି ପ୍ରସଂଗରେ ଜବାବ ରଖିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଅନ୍ୟ ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନର ଆଉ ଆବଶ୍ୟକତା ନାହିଁ ବୋଲି ୨୦୨୨ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଏଭଳି ସ୍ଥିତିରେ ୨୦୧୯ରେ ସରକାରଙ୍କ ଦ୍ବାରା ଗଠିତ କମିଟିର ଆଉ ଏବେ କୌଣସି ଆବଶ୍ୟକତା ନାହିଁ।

ଅନ୍ୟପକ୍ଷରେ ଏହି ପ୍ରସଂଗରେ ଜବାବ ରଖିବାକୁ ସରକାରଙ୍କ ତରଫରୁ ଅଧିକ ସମୟ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। ହାଇକୋର୍ଟ ଜୁଲାଇ ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ପୂର୍ବରୁ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ୨୦୧୯, ମାର୍ଚ୍ଚ ୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗରେ ବିଭିନ୍ନ ଦିଗ ଅନୁଧ୍ୟାନ ପାଇଁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଉଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏହି କମିଟି ପୁନର୍ଗଠନ ହୋଇଥିଲା। ଏ ନେଇ ସରକାର ୨୦୧୯, ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉନ୍ନୟନ କମିସନରଙ୍କୁ କମିଟିର ଅଧ୍ୟକ୍ଷ ରଖାଯାଇଥିବା ବେଳେ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ସଦସ୍ୟ ଆବାହକ ରଖାଯାଇଥିଲା। ଏଥି ସହିତ ଗୃହ ସଚିବ, ଅର୍ଥ ସଚିବ, ରାଜସ୍ବ ସଚିବ ଓ ଆଇନ ସଚିବଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯାଇଥିଲା।

ଏପରି କମିଟିର ବୈଧତାକୁ ଚାଲେଞ୍ଜ କରି ଆବେଦନକାରୀ ୨୦୧୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଡିସେମ୍ବର ୨ରେ ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହିତ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଗତ ଡିସେମ୍ବରରେ ବେଞ୍ଚ ଦାବି ନେଇ ସମ୍ବଲପୁର ଅଦାଲତ ପରିସରରେ ଭଙ୍ଗାରୁଜା ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ଏହି ପ୍ରସଂଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଭର୍ଚୁଆଲ ବ୍ୟବସ୍ଥାରେ ବିଭିନ୍ନ ଜିଲ୍ଲାରୁ ହାଇକୋର୍ଟରେ ଶୁଣାଣି ପାଇଁ ବ୍ୟବସ୍ଥା କରାଯାଉଥିବାରୁ ଆଉ ବେଞ୍ଚର ଆବଶ୍ୟକତା ନାହିଁ ବୋଲି କହିଥିଲେ।

Leave A Reply

Your email address will not be published.