ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ମାମଲା ଦାୟର: ରାଜ୍ୟସରକାରଙ୍କ ସହ ମନ୍ଦିର ପ୍ରଶାସନକୁ ରିପୋର୍ଟ ତଲବ କଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ଆଇନର ସଂଶୋଧନକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ,୧୯୫୪ର ଧାରା ୧୬(୨) ଆଧାରରେ ଗ୍ରହଣ କରାଯାଉଥିବା ପଦକ୍ଷେପର ଭବିଷ୍ୟତ ମାମଲାର ଚୂଡାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ନିକଟରେ ରାଜ୍ୟ ସରକାର ସଂଶୋଧନ ଆଣିଥିଲେ। ସଂଶୋଧନ ନେଇ ୨୦୨୨, ଜାନୁଆରି ୯ରେ ଅଧ୍ୟାଦେଶ ଜାରି କରାଯାଇଥିଲା। ମୂଳ ଆଇନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୋଣସି ଅସ୍ଥାବର ସମ୍ପତିର ଦଖଲରେ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ବିକ୍ରି କରିପାରୁ ନଥିଲେ, ବା କାହାକୁ ଲିଜ୍ ସୂତ୍ରରେ ଦେଇ ପାରୁ ନଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଏଭଳି ବ୍ୟବସ୍ଥାରେ ସରକାର ସଂଶୋଧନ ଆଣି ଧାରା ୧୬(୨) ଯୋଡି ଥିଲେ। ସଂଶୋଧନ ପରେ ଶ୍ରୀଜଗନ୍ନାଥଙ୍କ ଅସ୍ଥାବର ସଂପତ୍ତି ବିକ୍ରି ବା ଲିଜରେ ଦେବା ପାଇଁ ପରିଚାଳନା କମିଟିକୁ ଆଉ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ଆବଶ୍ୟକ ନାହିଁ। ଆଇନରେ ସଂଶୋଧନ ଆଣି ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏପରି କ୍ଷମତା ପ୍ରଦାନ କରିବା ଦ୍ବାରା ଶ୍ରୀଜଗନ୍ନାଥଙ୍କ ସଂପତ୍ତି ପ୍ରତି ବିପଦ ଦେଖା ଦେଇଛି ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି। ଆଇନରେ କରାଯାଇଥିବା ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି।