ଲକ୍ଷ୍ନୌ(ଓଡ଼ିଆ ନ୍ୟୁଜ୍ ): ଭାଇଚାରାର ଦେଶ ଭାରତ । ଏଠି ବିଭିନ୍ନ, ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ହେଲେ ମନ୍ଦିର-ମସଜିଦ ଓ ହିନ୍ଦୁ-ମୁସଲମାନକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ରାଜନୀତି କରୁଛନ୍ତି । ଫଳରେ ଧର୍ମ- ଧର୍ମ ମଧ୍ୟରେ ବିବାଦ ଦେଖାଦେଇଛି । ଏତିକି ବେଳେ ଉତ୍ତରପ୍ରଦେଶ ଶାମଲିରୁ ଭାଇଚାରା ଏବଂ ସାମ୍ପ୍ରଦାୟିକ ସଦଭାବନାର ଏକ ଅନନ୍ୟ ନିଦର୍ଶନ ସାମ୍ନାକୁ ଆସିଛି । ଏଠାରେ ମୁସଲିମ ସମ୍ପ୍ରଦାୟ ବିହୀନ ଗୌସଗଡ ଗାଁରେ ମୋଗଲ ସାମ୍ରାଜ୍ୟ ସହ ଜଡିତ ୩୦୦ ବର୍ଷ ପୁରୁଣା ମସଜିଦ ରହିଛି । ଯାହାର ସୁରକ୍ଷା ଏବଂ ସୌନ୍ଦର୍ୟ୍ୟକରଣ ପାଇଁ ଅଣ୍ଟା ଭିଡିଛନ୍ତି ହିନ୍ଦୁ ସମ୍ପ୍ରଦାୟ । ଶାମଲିର ଏହି ଗାଁରେ ଗୋଟିଏ ବି ମୁସଲମାନ ପରିବାର ନାହିଁ । ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ମସଜିଦ୍ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।
୧୭୬୦ରୁ ୧୮୦୫ ମସିହା ମଧ୍ୟରେ ଗୌସଗଡ ଏକ ସମୃଦ୍ଧ ସାମ୍ରାଜ୍ୟର ଅଂଶ ଥିଲା । ହେଲେ ୩୦୦ ବର୍ଷ ପରେ ଏଠାରେ କେବଳ ପରିତ୍ୟକ୍ତ ମସଜିଦ ସହ ମୋଗଲ ବଂଶର କିଛି ଚିହ୍ନ ରହିଛି ।ଗାଁରେ କୌଣସି ମୁସଲିମ ନ ରହୁଥିବାରୁ ୧୯୪୦ ମସିହା ପରଠୁ ଏହି ମସଜିଦରେ ଅଜାନ, ନମାଜ ପାଠ ହୋଇନାହିଁ । ବର୍ତ୍ତମାନ ଗାଁର ହିନ୍ଦୁ ପରିବାର ଏହି ଜରାଜୀର୍ଣ୍ଣ ମସଜିଦରେ ଜୀବନ ଭରିବାକୁ ପଦକ୍ଷେପ ନେଇଛନ୍ତି ।