ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଗତ ମେ ମାସରେ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ହାରିଥିବା ଭାରତ ସହ ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ବୋଲର ମାନ୍ୟତାରେ ଅଶ୍ବିନ (୮୬୦ ପଏଣ୍ଟ) ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ (୮୨୬) ଦୁଇଟି ସ୍ଥାନ ଉପରକୁ ଉଠି ଦ୍ବିତୀୟରେ ପହଞ୍ଚିଛନ୍ତି। ଅନ୍ୟ ଜଣେ ଭାରତୀୟ ରବୀନ୍ଦ୍ର ଜାଦେଜା ୪୩୪ ପଏଣ୍ଟ ସହ ଅଲ୍ରାଉଣ୍ଡର ତାଲିକାରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ଅଛନ୍ତି। ଏହି ତାଲିକାରେ ଅଶ୍ବିନ ଦ୍ବିତୀୟ ଏବଂ ଅକ୍ଷର ପଟେଲ ପଞ୍ଚମରେ ରହିଛନ୍ତି। ଗତ ଡିସେମ୍ବରରେ କାର୍ ଦୁର୍ଘଟଣା ଯୋଗୁଁ କ୍ରିକେଟ୍ଠୁ ଦୂରେଇ ରହିଥିବା ଋଷଭ ପନ୍ତ ଦଶମ ସ୍ଥାନରେ ଅଛନ୍ତି।
ଏଥିସହ ସେ ଶୀର୍ଷ ୧୦ ମଧ୍ୟରେ ଏକମାତ୍ର ଭାରତୀୟ ବ୍ୟାଟର୍। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ ୧୨ ଓ ୧୪ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବ୍ୟାଟର୍ ଜୋ ରୁଟ୍ଙ୍କୁ ହଟାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ରୁଟ୍ ସିଧାସଳଖ ପଞ୍ଚମକୁ ଖସି ଆସିଛନ୍ତି। ଷ୍ଟିଭ୍ ସ୍ମିଥ୍ ଦ୍ବିତୀୟରେ ପହଞ୍ଚିଛନ୍ତି। ଦଳୀୟ ମାନ୍ୟତାରେ ଭାରତ ପଛକୁ ଯଥାକ୍ରମେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ରହିଛନ୍ତି। ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତର ଶୁବମନ ଗିଲ୍ ପଞ୍ଚମ ଏବଂ ତାଙ୍କ ପଛକୁ କୋହଲି (ଅଷ୍ଟମ) ଓ ରୋହିତ (ଦଶମ) ଶୀର୍ଷ ୧୦ ମଧ୍ୟରେ ରହିଛନ୍ତି।