ହେଲମେଟ୍‌ ନ ପିନ୍ଧିଲେ ଅଟକିବ ଦରମା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଇକ ଚାଳନା ସମୟରେ ହେଲମେଟ୍ ନ ପିନ୍ଧିଲେ ଅଟକି ରହିବ ମାସକର ଦରମା। ରାଜ୍ୟରେ ଦିନକୁ ଦିନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରେ ଲାଗିଛି। ଟ୍ରାଫିକ ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଅମାନିଆ । ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମାର ଚିଠି ସାମ୍‌ନାକୁ ଆସିଛି। ବାଇକ୍‌ ଚାଳନା ସମୟରେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା । ଗଜପତି ଜିଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଏଭଳି ଏକ ଚିଠି ଆସିବା ପରେ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିବା ସହ ହଇଚଇ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ଗତକାଲି ଅର୍ଥାତ ୨୭ ତାରିଖରେ ଜାରି ହୋଇଥିବା ଏହି ଚିଠିରେ ଦର୍ଶାଯାଇଛି ଯେ, ମୋହନା ବ୍ଲକର ପ୍ରାଥମିକ ଶିକ୍ଷକ ମାନେ ନିଜର ସୁରକ୍ଷା ପାଇଁ ବାଇକ୍ ଚାଳନା ସମୟରେ ହେଲମେଟ୍ ପିନ୍ଧିବେ। ଯଦି ଏହାର କିଏ ଉଲଂଘନ କରିଥିବା ଦୃଷ୍ଟିକୁ ଆସେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଗୋଟିଏ ମାସର ଦରମା ବନ୍ଦ କରାଯିବ। ଏ ଦିଗରେ ବିଇଓ ଏବଂ ଏବିଇଓ ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଛି।

ତା’ସହ ଆହୁରି ବି କୁହାଯାଉଛି, ଯଦି ଆପଣ ଏକ ମୁଣ୍ଡ ପାଇଛନ୍ତି ତେବେ ଆପଣଙ୍କ ପାଇଁ ହେଲମେଟ୍ ଜରୁରୀ। ଏଭଳି ଏକ ନିର୍ଦ୍ଦେଶନାମାକୁ ନେଇ ବର୍ତ୍ତମାନ ଗଜପତି ଜିଲ୍ଲାରେ ଚର୍ଚ୍ଚା ଲାଗିରହିଥିବା ବେଳେ ଏ ସଂପର୍କରେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.