ଦୁଃଖରେ ଅଛନ୍ତି ଭାରତୀୟ; ୧୩୫ଟି ଖୁସି ଦେଶ ତାଲିକାରେ ଭାରତର ସ୍ଥାନ ୧୨୫ ନମ୍ବରରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁଃଖରେ ଅଛନ୍ତି ଭାରତୀୟ, ହଜି ଯାଉଛି ହସ । ଆଜି ମେ’ ମାସର ପ୍ରଥମ ରବିବାର ‘ହସ ଦିବସ’। ହସକୁ ନେଇ ସବୁଆଡେ ପ୍ରତିଯୋଗିତା ଚାଲିଛି । ଏ ସବୁ ପ୍ରତିଯୋଗିତାରେ ଆମକୁ ଭାଗ ନେବାକୁ ପଡିବ । ଜିତିବାକୁ ପଡିବ । ସେଥିପାଇଁ ଆମେ ଦୌଡୁଛେ । କେତେ ପଡୁଛେ, କେତେ ଲହୁଲୁହାଣ ହେଉଛେ ।  ହେଲେ ଖାତିର ନାହିଁ । ପିଲାଟିଏ ଜନ୍ମ ହେଲା ପରଠାରୁ ବାପ-ମା’ ଲଗେଇ ଦେଉଛନ୍ତି ପ୍ରତିଯୋଗିତାରେ । କେତେ ଛୋଟ ପିଲା କେତେ ଅଧିକ କାମ କରି, କଥା କହି ବିଶ୍ୱ ରେକର୍ଡ କରିପାରୁଛି । ତା’ ପରେ ପାଠପଢାରେ ପ୍ରତିଯୋଗତିା । ତା ପରେ ଚାକିରି ପାଇଁ..ଭଲ ଜୀବନସାଥୀ ପାଇଁ.. । ତା ପରେ ଭଲ ଘର, କାର….ଇତ୍ୟାଦି ଇତ୍ୟାଦି । ହେଲେ ଏସବୁ ହାତେଇବା ପରେ ବି କେତେ ଖୁସି ଏ ମଣିଷ ?   ଏ ଖୁସି କେତେ ଦେଇ ପାରିଛି ମନ ଖୋଲି ହସିବାର ସୁଯୋଗ ?

ଦିନକୁ ଦିନ ବଢି ଚାଲିଛି ମାନସିକ ଚାପ ।  ରୋଗାକ୍ରାନ୍ତ ହୋଇ ପଡୁଛି ଶରୀର । ଏଥିରୁ ମୁକ୍ତି ପାଇଁ ଲୋଡା ପଡୁଛି ନିର୍ଭେଜାଲ ହସ ଟିକିଏ  । ଏଥିପାଇଁ ଖୋଲା ଜାଗା, ପାର୍କରେ ଦିଆଯାଉଛି ତାଲିମ । ହୋ-ହୋ ହସରେ ଫାଡିପଡୁଛି ଇଲାକା । ହେଲେ କେତେ କରୁଣ ଲାଗେ ଏ ଛାତିଫଟା ହସ ? ଏ ହସର ମୂଲ୍ୟ ଆଜି ବୁଝି ପାରିଛି ମଣିଷ  । କିନ୍ତୁ ଆପଣେଇ ପାରୁନି । କାରଣ ପଛରେ ରହିଯିବାର ଭୟ ତାକୁ ହସଠାରୁ ଦୂରେଇ ଦେଉଛି । ସେଥିପାଇଁ ତ ବିଶ୍ୱର ଖୁସି ଦେଶ ତାଲିକାରେ ୨୦୨୩ରେ ୧୩୫ ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୫ରେ ରହିଛି । କେତେ ବିଡମ୍ବନା ସତରେ, ଯେଉଁ ହସଖୁସି ପାଇଁ ଏ ଲହୁଲୁହାଣ ପ୍ରତିଯୋଗିତା, ସେହି ହସକୁ ମନେ ପକେଇବା ପାଇଁ..ହସର ଉପାଦେୟତା ବିଷୟରେ ସଚେତନ କରିବା ଲାଗି ଆଜି ଆମକୁ ଦିବସ ପାଳନ କରିବାକୁ ପଡୁଛି ।

Leave A Reply

Your email address will not be published.