ଝାରସୁଗୁଡାରେ ପ୍ରଚାର ସାରି ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ବିଜେଡି ନେତାଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ(ବ୍ୟୁ୍ରୋ) : ଝାରସୁଗୁଡା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ବିଜେଡି ପକ୍ଷରୁ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେପି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।ତେବେ ଦୁଇ ହେଭିୱେଟଙ୍କ ପ୍ରଚାରରେ ଆଜି କମ୍ପି ଉଠିଛି ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଥିବା ବେଳେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ ।

ଜଣେ ବିଜେଡି ନେତାଙ୍କର ଅଚାନକ ମୃତ୍ୟୁ ଘଟିଛି । ଝାରସୁଗୁଡ଼ାରୁ ପ୍ରଚାର କାର୍ଯ୍ୟ ସାରି ଫେରୁଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା ।ସୂଚନା ଅନୁଯାୟୀ, ଝାରସୁଗୁଡ଼ାରୁ ନିର୍ବାଚନୀ ପ୍ରଚାର ସାରି ଫେରିବା ସମୟରେ ରାଜଗାଙ୍ଗପୁରର ବିଜେଡି ନେତା ଜୟନ୍ତ ମହାନ୍ତିଙ୍କ ମୃତ୍ୟୁ ଘଟିଛି । ଜୟନ୍ତଙ୍କ କାର ଲଇକେରା ସାସହପୁର ନିକଟରେ ରାସ୍ତା ତଳକୁ ଓଲଟି ପଡ଼ିବାରୁ ସେ ଗାଡ଼ିରୁ ବାହାରକୁ ଛିଟିକି ପଡ଼ିଥିଲେ । ଜୟନ୍ତ କାର ଡ୍ରାଇଭ କରୁଥିଲେ ଓ ଦୁର୍ଘଟଣା ସମୟରେ ତାଙ୍କର ମୁଣ୍ଡ ଏକ ପଥରରେ ବାଡ଼େଇ ହୋଇଯାଇଥିଲା । ଏହାଫଳରେ ତାଙ୍କର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ ।

ଏଥିସହିତ କାରରେ ଥିବା ଅନ୍ୟ ୩ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଏହି ଦୁଃଖଦ ଘଟଣା ବିଜେଡିର ସମସ୍ତ କର୍ମୀଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି ।

Leave A Reply

Your email address will not be published.