ଅନ୍ତର୍ଜାତୀୟ ମାନବ ଏକତା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଶ୍ୱର ସମସ୍ତ ରାଷ୍ଟ୍ରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ହୋଇପାରିବ। ଗରିବମାନଙ୍କର ବିଶ୍ୱସ୍ତରୀୟ ମୂଲ୍ୟବୋଧକୁ ଚିହ୍ନିବା ଏବଂ ବିଭିନ୍ନ ଦେଶରେ ଦାରିଦ୍ର୍ୟ ହ୍ରାସ କରିବା ବିଷୟରେ ବିକଶିତ ଦେଶଙ୍କୁ ଅବଗତ କରାଇବା ତଥା ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର ୨୦ରେ ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ ପାଳନ କରାଯାଇଥାଏ। କୁହାଯାଏ ଏକତା ହିଁ ସବୁଠାରୁ ବଡ଼ ଶକ୍ତି ।

ଏକତା ରହିବା ଦ୍ବାରା ଯେ କୌଣସି ସମସ୍ୟାର ସମାଧାନ ସମ୍ଭବ ଅଟେ । ଏକତା ରହିବା ଦ୍ବାରା ସମାଜର ଗୁରୁତ୍ୱ ସାବ୍ୟସ୍ତ ହୋଇଥାଏ । ସାମାଜିକ ତଥା ଅର୍ଥନୈତିକ ବିକାଶ, ମାନବିକ ଅଧିକାର ଏବଂ ଶାନ୍ତି ପାଇଁ ମିଳିତ ଜାତିସଂଘର ପ୍ରତିଷ୍ଠା ସହିତ ବିଶ୍ୱର ଜନଜାତି ଏବଂ ରାଷ୍ଟ୍ରମାନେ ଏକାଠି ହୋଇଥିଲେ । ସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ଦାରିଦ୍ର୍ୟ ତଥା ଅନାନ୍ୟ ସାମାଜିକ ପ୍ରତିବନ୍ଧକ ବିରୋଧରେ ଏକଜୁଟ ରହି ଲଢେଇ କରିବା ପାଇଁ ଏହି ଦିବସ ପାଳନ କରିବା ଉଦ୍ଦଶ୍ୟରେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ସରକାରଙ୍କୁ ଉତ୍ସାହିତ କରାଯାଇଥାଏ।ପ୍ରଥମେ 2005 ମସିହାରେ ବିଶ୍ବ ଶିଖର ସମ୍ମିଳନୀରେ ଜାତିସଂଘ ସାଧାରଣ ସଭା ଦ୍ବାରା ଏହି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏହାପରେ 2005 ମସିହା ଡିସେମ୍ବର 22 ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା କରାଯାଇଥିଲା । ମିଳିତ ଜାତିସଂଘର ମତାନୁସାରେ ବିଶ୍ବ ମାନବ ଏକତା ଦିବସ ହେଉଛି ବିବିଧତା ମଧ୍ୟରେ ଆମର ଏକତାକୁ ପାଳନ କରିବାର ଦିନ । ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତି ଦେଇଥିବା ପ୍ରତିଶୃତିକୁ ସମ୍ମାନ ଦେବା ପାଇଁ ପ୍ରତି ରାଷ୍ଟ୍ରର ସରକାରଙ୍କୁ ମନେପକେଇବା ଆଜି ଦିନର ଉଦ୍ଦେଶ୍ୟ । ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଅନ୍ତର୍ଜାତୀୟ ମାନବ ଏକତା ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି ପରିବର୍ତ୍ତନ ପ୍ରତି ଗତିଶୀଳ ।

ଏହାର ଅର୍ଥ ଅନ୍ତର୍ଜାତୀୟ ଚିନ୍ତାଧାରା ପ୍ରତି ଧ୍ୟାନ ଦେବା, ସାମାଜିକ ନ୍ୟାୟ, ସମାନତା ଏବଂ ମାନବିକ ଅଧିକାରକୁ ପ୍ରୋତ୍ସାହିତ କରୁଥିବା ଆଇନକୁ ସମର୍ଥନ କରିବା । ପ୍ରତିବର୍ଷ ଅନ୍ତର୍ଜାତୀୟ ମାନବ ଏକତା ଦିବସ ପାଳନ କରାଯାଇଥାଏ । ବିଶ୍ବରେ ରହିଥିବା ସମସ୍ୟାର ମୁକାବିଲା କରିବା, ସମନ୍ୱୟ, ସହଯୋଗ ଏବଂ ସହଭାଗିତା ମୂଲ୍ୟ ଉପରେ ଧ୍ୟାନ ଦେବା ମୂଳ ଉଦ୍ଦେଶ୍ୟ ଅଟ ।

Leave A Reply

Your email address will not be published.