ପଦମପୁରର ଉପନିର୍ବାଚନ ମହୋଲ ବେଳେ ଆୟକରର ଧରପଗଡ, ୩ ବ୍ୟବସାୟୀଙ୍କ ଘରେ ରେଡ଼

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପଦ୍ମପୁର ନିର୍ବାଚନମଣ୍ଡଳୀର ତିନି ଜଣ ବ୍ୟବସାୟୀଙ୍କ ଉପରେ ଆଜି ଆୟକର ବିଭାଗ(ଆଇଟି) ପକ୍ଷରୁ ଚଢ଼ଉ କରାଯାଇଛି । ଏହି ବ୍ୟବସାୟୀମାନେ ହେଲେ ବହିଦରପଡ଼ାର ମହମ୍ମଦ ସାଜିଦ୍, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜଚ ଅଗ୍ରୱାଲ୍ । ଏମାନେ ବିଜେଡିର ଜଣାଶୁଣା ସମର୍ଥକ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଖାସ୍ ଲୋକ ଥିଲେ । ଏବେ ସୁଶାନ୍ତ ସିଂହଙ୍କର ଖାସ୍ ସମର୍ଥକ ବୋଲି କୁହାଯାଉଛି ।
ଆଜି ସକାଳ ସାଢ଼େ ୬ଟାରେ ଆୟକର ବିଭାଗର ୩ ଟି ଟିମ୍ ସଂପୃକ୍ତ ୩ ବ୍ୟବସାୟୀଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ ଆରମ୍ଭ କରିଥିଲା । ରିପୋର୍ଟ ଲେଖା ହେଲା ବେଳକୁ(ଅପରାହ୍ନ ସାଢ଼େ ୧ଟା) ରେଡ୍ ଜାରି ରହିଛି । ଘର ଚାରିପଟେ ଜଗିଛନ୍ତି ବନ୍ଧୁକଧାରୀ ସିଆରପିଏଫ ଯବାନ । ସଂପୃକ୍ତ ବ୍ୟବସାୟୀଙ୍କୁ ଭେଟିବାକୁ ଆସିଥିବା ତାଙ୍କର ଓକିଲଙ୍କୁ ମଧ୍ୟ ସିଆରପିଏଫ ଯବାନମାନେ ଘର ଭିତରକୁ ଛାଡୁନାହାନ୍ତି । ଏହି ରେଡ୍ ସମ୍ପର୍କରେ ପଦ୍ମପୁର ପୁଲିସ ପାଖରେ ମଧ୍ୟ ଖବର ନ ଥିଲା । ଟିକସ ଫାଙ୍କି ନା ଅନ୍ୟ କେଉଁ କାରଣରୁ ଏହି ରେଡ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ପଦ୍ମପୁରରେ ଉପନିର୍ବାଚନ ମାହୋଲ ସରଗରମ ଥିବା ବେଳେ ବିଜେଡି ସମର୍ଥକ ୩ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଉପରେ ଆୟକର ରେଡ୍ ହେବା ରାଜନୈତିକ ହଇଚଇ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ଗତକାଲି ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ନରେନ୍ଦ୍ର ସିଂ ତୋମାର ପଦ୍ମପୁରରେ ଉପନିର୍ବାଚନ ପ୍ରଚାର କରିଥିଲେ । ରାଜ୍ୟ ସରକାରଙ୍କୁ ସେମାନେ ଟାର୍ଗେଟ୍ କରି କଟୁ ମନ୍ତବ୍ୟ ଦେଇଥିଲେ । ସମସ୍ତଙ୍କ ନଜରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠାରୁ ଦୁଇଟି ପର୍ଯ୍ୟାୟରେ ୪ ଦିନ(୩-୧) ଧରି ମାରାଥନ୍ ପ୍ରଚାର କରିବେ । ତିନୋଟି ଯାକ ବ୍ଲକ୍ ରେ ସେ ରୋଡ୍ ସୋ କରିବେ ଏବଂ କିଛି ଜାଗାରେ ସାଧାରଣ ସଭାରେ ଉଦବୋଧନ ଦେବେ ।
ଏହିଭଳି ଏକ ମାହୋଲ୍ ଏବଂ ଉପନିର୍ବାଚନ ପ୍ରଚାର ବେଳେ ବିଜେଡି ସମର୍ଥତ ବ୍ୟବସାୟୀଙ୍କ ଉପରେ ଆଇଟି ରେଡ୍ ମାରିବାକୁ ନେଇ ସବୁଆଡ଼େ ଚର୍ଚ୍ଚା ।
କେନ୍ଦ୍ରୀୟ ସଂସ୍ଥାର ଏହି ରେଡ୍ କୁ ରାଜ୍ୟ ବିଜେପି ନେତାମାନେ ରୁଟିନ୍ କାର୍ଯ୍ୟକ୍ରମ ଦର୍ଶାଇ ଆଇନକୁ ତ ବାଟରେ ଯିବାକୁ ଦିଆଯାଉ ବୋଲି କହିଛନ୍ତି । ଉପନିର୍ବାଚନ ପାଇଁ ପଦ୍ମପୁରରେ ବ୍ୟାପକ କଳାଟଙ୍କା ବୁଲିବା ପଛରେ ଏହି ବ୍ୟବସାୟୀମାନଙ୍କ ଭୂମିକାକୁ ଦଳୀୟ ମହଲରୁ ଅଙ୍ଗୁଳି ଉଠାଯାଇଛି ।
ଅନ୍ୟପକ୍ଷରେ ପଦ୍ମପୁରବାସୀଙ୍କ ମନରେ ଭୟ ସୃଷ୍ଟି ପାଇଁ ବିଜେପି ଆଇଟିକୁ ହତିଆର କରିଥିବା ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି । ପଦ୍ମପୁରରେ ନିଶ୍ଚିତ ପରାଜୟ ଜାଣି ଭୟଭୀତ ବିଜେପି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରିଛି । ନିର୍ବାଚନ କମିସନଙ୍କ ପାଖରେ ଆଜି ବିଜେଡି ଏହାକୁ ନେଇ ଫେରାଦ ହେବାକୁ ଯୋଜନା କରିଛି ।
ରାଜନୈତିକ ସମୀକ୍ଷକମାନେ ଏହି ଆଇଟି ରେଡ୍ ଘଟଣାକୁ ସ୍ୱାଭାବିକ ବୋଲି ଗ୍ରହଣ କରିନାହାନ୍ତି । ଆଇଟି ରେଡ୍ ପାଇଁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି ସେମାନଙ୍କର ବିଶ୍ୱାସ । କିଛି କଂଗ୍ରେସ ବିଧାୟକ ଏହାକୁ ରାଜନୈତିକ ପ୍ରତିଶୋଧପରାୟଣତା ବୋଲି କହିଛନ୍ତି ।

Leave A Reply

Your email address will not be published.