୩ ଘଣ୍ଟାରେ ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷିବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆହୁରି ୪ ଦିନ ବର୍ଷା ଲାଗି ରହିବ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୋମବାର ଭୁବନେଶ୍ବର ଏବଂ କଟକ ସହିତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଥିବାବେଳେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବା ସମ୍ଭାବନା ରହିଛି।

ଆସନ୍ତା ୩ ଘଣ୍ଟା ପାଇଁ ୬ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏଥିଲାଗି ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।  ତଳିଆ ଅଞ୍ଚଳରେ ପାଣି ଜମିବା ସହ ଟ୍ରାଫିକ୍ ସମସ୍ୟା ଉପୁଜିବା ନେଇ ଆଶଙ୍କା କରାଯାଉଛି।  ସେହିପରି ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଏବଂ କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷିବ।  ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରାୟ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଗତ ୨୪ ଘଣ୍ଟାରେ ମାଲକାନଗିରି, ନୂଆପଡା, ଢେଙ୍କାନାଳ, ଗଞ୍ଜାମ, ସୁନ୍ଦରଗଡ, ବରଗଡ, ରାୟଗଡା ଏବଂ ମୟୂରଭଞ୍ଜରେ ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲାର ଚିତ୍ରକୋଣ୍ଡାରେ ସବୁଠୁ ଅଧିକ ୧୬୪.୫ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ନୂଆପଡା ୯୯.୪ମି.ମି ଏବଂ ପଡିଆ ୯୭.୪ମି.ମି ବର୍ଷା ହୋଇଛି।  ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ୨୬ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।  ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ବର୍ଷା ଲାଗି ରହିବ।

Leave A Reply

Your email address will not be published.