ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହେବ: ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଘୋଷଣା କଲେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା । ଧର୍ମ, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଥିଲା। ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମର ମଧ୍ୟ ବିକାଶ ହୋଇଥିଲା । ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବେ ସାରା ବିଶ୍ବର ବୌଦ୍ଧ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମା ବିରଜାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ହେଉଛି ଶକ୍ତି ପୀଠ। ଏହାର ଗୌରବମୟ ଇତିହାସ ରହିଛି । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି, କୃଷି, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ବତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ଆଜି ଯାଜପୁରର ନୂଆ ପରିଚୟ ହୋଇଛି। ମୋର ଦୃଢ ବିଶ୍ବାସ, ଯାଜପୁର ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ଜେନା, ବିଧାୟକ ଶ୍ରୀମତୀ ସୁନନ୍ଦା ଦାସ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ନିଜର ଅଭିଭାଷଣ ରଖି କହିଥିଲେ ଯେ ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଶୀର୍ବାଦ ଓ ଭଲପାଇବା ଅଛି । ଯାଜପୁର ଆଜି ବିକାଶ କ୍ଷେତ୍ରରେ ସୁନାମ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାଜପୁରରେ କଳିଙ୍ଗ ନଗର ଷ୍ଟିଲ କମ୍ପ୍ଲେକ୍‌ସ ଓ ମେଡିକାଲ କଲେଜ ହେବା ସହିତ ଯୋଗାଯୋଗ କ୍ଷେତ୍ରରେ ଯାଜପୁରର ଦ୍ରୁତ ବିକାଶ ହୋଇପାରିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଂଜନ ଘଡାଇ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ବିଧାୟକ ଶ୍ରୀ ଅଶୋକ ବଳ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.