ଝାରସୁଗୁଡା ଉପନିର୍ବାଚନ, ଶେଷ ଦିନରେ ପ୍ରଚାରରେ କମ୍ପୁଛି ମଇଦାନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଖରା ତାତି ସାଙ୍ଗକୁ ଝାରସୁଗୁଡ଼ା ଉପନିର୍ବାଚନ ତାତି। ସେଥିପାଇଁ ଉଠୁଛି ପଡୁଛି ଝାରସୁଗୁଡା। ଉପନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହେଉଛି । ଗତକାଲି ପ୍ରମୁଖ ରାଜନୈତିକ ଦଳର ତୁଙ୍ଗ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରରେ ସାମିଲ ହୋଇଥିଲେ ।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଚାର କରିଥିଲେ ।ଝାରସୁଗୁଡ଼ା ଜେଲରୋଡ୍‍ ନିକଟସ୍ଥ ଏକ ନିର୍ବାଚନୀ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ସରକାର ବିକାଶମୂଳକ ରାଜନୀତିରେ ବିଶ୍ୱାସ କରେ । ଝାରସୁଗୁଡ଼ାକୁ ରାଜ୍ୟର ସର୍ବଶ୍ରେଷ୍ଠ ଶିଳ୍ପସମୃଦ୍ଧ ଜିଲ୍ଲାଭାବେ ଗଢ଼ି ତୋଳିବାକୁ ତାଙ୍କ ସରକାରଙ୍କ ପ୍ରୟାସ ଜାରି ରଖିବ ବୋଲି ସେ କହିଥିଲେ ।ଅନ୍ୟପକ୍ଷରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିଥିଲେ ।

କୋଲାବିରାଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମୋଦୀ ସରକାରଙ୍କ ପକ୍ଷରୁ ଝାରସୁଗୁଡ଼ାବାସୀଙ୍କ ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ । ସଭାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଏବଂ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ ।ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ସପକ୍ଷରେ ଭୋଟ ପ୍ରଚାରରେ ସାମିଲ ହୋଇଥିଲେ ।

ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍‍ଦାର ହେବା ଆଶା କରାଯାଉଛି । ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଏବଂ ୧୩ ତାରିଖରେ ଭୋଟ୍‍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ । ତେବେ ଝାରସୁଗୁଡାରେ ଲୋକେ କାହା ମୁଣ୍ଡରେ ସୁନା କଳସ ଢାଲୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.