ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ଲାଗି ବାଜିସାରିଛି ବିଗୁଲ୍ । ଏହାରି ମଧ୍ୟରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିସାରିଛି । ଉଭୟ ବିରୋଧୀ ବିଜେପି ଓ କଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା କରିପାରେ। ଝାରସୁଗୁଡ଼ା ଦାୟିତ୍ୱରେ ଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ୬ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଆଜି ପିସିସିକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ଓ ଦୁଇରୁ ତିନି ଦିନ ଭିତରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାଯାଇଛି। ଉପନିର୍ବାଚନ ଲାଗି କଂଗ୍ରେସର ଟିକେଟ ଦୌଡ଼ରେ ତିନିଜଣ ଅଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ପୂର୍ବତନ ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ୨୦୧୯ର ପ୍ରାର୍ଥୀ ମହେନ୍ଦ୍ର ନାୟକ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ଅଶୋକ ମିଶ୍ର। ତେବେ ଏହି ତିନିଜଣଙ୍କ ମଧ୍ଯରୁ କାହାକୁ ଟିକେଟ ମିଳିବ ସେନେଇ ସସପେନ୍ସ ଲାଗି ରହିଛି। ଗତକାଲି କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ରହିଛିନ୍ତି। ଏହି ଟିମ ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ପରେ କିରମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଳକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡ଼ିଥିଲେ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବାବେଳେ ଯାହାଙ୍କ ଜିତିବାର ଅଧିକ ସମ୍ଭାବନା ରହିଛି ତାକୁ କଂଗ୍ରେସ ପ୍ରାର୍ଥୀ କରିବ। ଆଜିର ରିପୋର୍ଟ ନେଇ ପିସିସି କମିଟି ଅବଗତ କରାଯିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଚୟନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।
କହିରଖୁ କି, ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦାସଙ୍କୁ ବିଜେଡିର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଝାରସୁଗୁଡା ଉପନିର୍ବାଚନ ପାଇଁ ମାର୍ଚ୍ଚ ୨୯ରେ ତାରିଖ ଘୋଷଣା ହୋଇସାରିଛି। ମେ’ ୧୦ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ଉପନିର୍ବାଚନ ପାଇଁ ଏପ୍ରିଲ ୧୩ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ। ଏହାସହ ଏପ୍ରିଲ ୨୧ରେ ନାମାଙ୍କନ ଯାଞ୍ଚ ହେବ। ୨୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରାଯିବ। ମେ’୧୦ରେ ଭୋଟ ଗ୍ରହଣ ହେବା ସହ ମେ’ ୧୩ରେ ଭୋଟ ଗଣତି ହେବ। ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡା ଆସନ ଖାଲି ପଡିଛି। ଝାରସୁଗୁଡାରେ ୧ ଲକ୍ଷ ୯୭ ହଜାରରୁ ଅଧିକ ଭୋଟର ରହିଛନ୍ତି।