ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋମବାର ଉତ୍ତରପ୍ରଦେଶର ପ୍ରୟାଗରାଜ-ଭବାନୀ କାଲିଣ୍ଡି ଏକ୍ସପ୍ରେସକୁ ଲାଇନ୍ଚ୍ୟୁଚ୍ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିବା ବେଳେ ଲୋକୋପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପୁଲିସ୍ ସୂଚନା ମୁତାବକ, ରବିବାର ସକାଳେ କାନପୁରର ମୁଦେରୀ ଗାଁର ଏକ କ୍ରସିଂ ନିକଟରେ କେହି ଜଣେ ଏଲ୍ପିଜି ସିଲିଣ୍ଡର୍ ରଖି ଦୁର୍ଘଟଣା ଘଟାଇବାକୁ ଉଦ୍ୟମ କରିଥିଲା।
ତେବେ ଏଥିରେ ଟ୍ରେନ୍ର ଅବା ଟ୍ରେନ୍ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୁଲିସ ସନ୍ଦେହ କରୁଛି। କାରଣ ଗ୍ୟାସ ସିଲିଣ୍ଡର ବ୍ୟତୀତ ଉକ୍ତ ସ୍ଥାନରୁ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ମିଳିଛି। ତେବେ ସୂଚନା ମୁତାବକ, କାଳିନ୍ଦୀ ଏକ୍ସପ୍ରେସ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ହରିୟାଣାର ଭିୱାନୀ ଅଭିମୁଖେ ଯାଉଥିବା ବେଳେ ଶିବରାଜପୁର ଅତିକ୍ରମ କଲା ବେଳେ ରେଳ ଧାରଣା ଉପରେ ଏକ ଗ୍ୟାସ ସିଲିଣ୍ଡର ଥିବା ଲୋକୋ ପାଇଲଟ ଦେଖିବାକୁ ପାଇଥିଲେ।
ସେ ସଙ୍ଗେ ସଙ୍ଗେ ବ୍ରେକ୍ ମାରିଥିଲେ। ତଥାପି ଅଟକିବା ପୂର୍ବରୁ ସିଲିଣ୍ଡରକୁ ଧକ୍କା ଦେଇଥିଲା ଟ୍ରେନ୍। ଘଟଣା ସଂପର୍କରେ ଖବର ପାଇ କାନପୁର ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଣ୍ଟି-ଟେରୋରିଜିମ ସ୍କ୍ୱାଡ୍ (ATS) ସେଠାରେ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରୁ ଗ୍ୟାସ ସିଲିଣ୍ଡର ସହିତ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ଜବତ କରିଥିଲେ।