ପାକ୍ କୁ କଙ୍ଗାରୁ ଝଟକା

0

ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର:  କ୍ରିକେଟ୍ ବିଶ୍ୱକପ୍ ଯେତିକି ଆଗକୁ ବଢୁଛି, ସେତିକି ରୋମାଂଚକ ହେଉଛି । ସେମିଫାଇନାଲରେ ପହଂଚିବା ପାଇଁ ପ୍ରତି ଦଳ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ହେଲେ ସଭିଙ୍କ ଭାଗ୍ୟରେ ବିଜୟ ଜୁଟୁନି । ଜିତ-ହାରକୁ ନେଇ ପଂଏଟ ଟେବୁଲରେ କିଏ ଉପରକୁ ଉଠୁଛି ତ କିଏ ତଳକୁ ଖସୁଛି । ଲିଗ୍ ମ୍ୟାଚକୁ ନେଇ କଡା ଟକ୍କର ଲାଗି ରହିଛି । ପାକ୍କୁ ଝଟକା ଦେଲା କଙ୍ଗାରୁ ଟିମ୍ । ଚଳିତ ବିଶ୍ୱକପର ୧୮ତମ ମ୍ୟାଚରେ ୫ଥର ବିଶ୍ୱକପ ଚାମ୍ପଅନ୍ ଅଷ୍ଟ୍ରେଲିଆ ୬୨ରନରେ ପାକିସ୍ତାନକୁ ମାତ ଦେଇଛି । ୪ଟି ମ୍ୟାଚରୁ ପ୍ରଥମ ୨ଟି ମ୍ୟାଚରେ ହାରିଥିବା ଅଷ୍ଟ୍ରେଲିଆ ଲଗାତର ୨ଟି ବିଜୟ ହାସଲ କରି ପଂଏଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନତୀ ହୋଇଛି ।

ଅପରପକ୍ଷେ ୪ଟି ମ୍ୟାଚରୁ ପାକିସ୍ତାନ ପ୍ରଥମ ୨ଟି ବିଜୟ ହାସଲ କରିଥିବା ବେଳେ ପରବର୍ତୀ ୨ଟି ମ୍ୟାଚ ହାରି ପଂଚମ ସ୍ଥାନକୁ ଖସି ଆସିଛି । ପ୍ରଥମେ ଡେଭିଡ୍ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ବିସ୍ଫୋରକ ଶତକ ଓ ପରେ ଆଡାମ୍ ଜାମ୍ପାଙ୍କ ଟପ୍ କ୍ଲାସ ବୋଲିଂ ବଳରେ ପାକିସ୍ତାନକୁ ଧୂଳି ଚଟାଇଛି ଅଷ୍ଟ୍ରେଲିଆ । ଶୁକ୍ରବାର ବେଙ୍ଗାଲୁରୁ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଆମ ଠାରେ ଖେଳାଯାଇ ଥିବା ମ୍ୟାଚରେ ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ ନେଇଥିଲା । ୱାର୍ଣ୍ଣର ୧୨୪ଟି ବଲରୁ ୧୪ଟି ଚୌକା ଓ ୯ଟି ଛକା ସହ ୧୬୩ରନ କରିଥିଲେ । ସେ ୧୦ ଓ ୧୦୫ ରନ କରିଥିବା ବେଳେ ଦୁଇଟି ଜୀବନଦାନ ପାଇଥିଲେ । ମାର୍ଶ ୧୦୮ଟି ବଲ୍ ରୁ ୧୦ଟି ଚୌକା ଓ ୯ଟି ଛକା ସହ ୧୨୧ ରନ୍ କରିଥିଲେ । ପ୍ରଥମ ୱିକେଟରେ ୱାର୍ଣ୍ଣର ଓ ମାର୍ଶ ୨୫୯ ରନର ଭାଗିଦାରୀ କରିଥିଲେ । ଏହା ବିଶ୍ୱକପର ଇତିହାସର କୌଣସି ୱିକେଟରେ ଷଷ୍ଠ ସର୍ବାଧିକ ଭାଗିଧାରୀ । ମାର୍କନ ଷ୍ଟୋଇନିସ୍ ୨୧ରନ କରିଥିଲେ । ଅଷ୍ଟ୍ରେଲିଆ ଓପନର ଦ୍ୱୟ ଦମଦାର ଆରମ୍ଭ କରିବା ସତ୍ୱେ ପାକ୍ ପେସରମାନେ ୱିକେଟ ହାସଲ କରି ମ୍ୟାଚକୁ ଫେରିଥିଲେ । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦି ୫ଟି, ହାରିସ ରୌଫ ୩ଟି, ଓ ଉସାମା ମିର୍ ଗୋଟିଏ ୱିକେଟ ନେଇଥିଲେ ।

ଫଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ଓଭର ରେ ୯ଟି ୱିକେଟ ହରାଇ ୩୬୭ ରନ କରିଥିଲା । ନଚେତ ପାକ୍ ପାଇଁ ଟାଗେର୍ଟ ୪୦୦ରନ ପାଖାପାଖି ହୋଇଥାନ୍ତା । ଜବାବରେ ଦୁଇ ପାକ୍ ଓପନର ଅବ୍ଦୁଲ୍ଲା ଶଫିକ୍ ଓ ଇମାମ୍ ଉଲ-ହକ୍ ଚତ୍ମକାର ଆରମ୍ଭ କରିଥିଲେ । ପ୍ରଥମ ୱିକେଟରେ ସେମାନେ ୧୩୪ରନର ଭାଗିଧାରୀ ହୋଇଥିଲେ । ଶାଫିକ ୬୪ ରନ ଓ ଇମାମ୍ ୭୦ ରନ କରିଥିଲେ । ତେବେ ଷ୍ଟୋଇନିସ ଡବଲ ଝଟକା ଦେବା ପରେ ଆଡାମ୍ ଜାମ୍ପା ତାଙ୍କ କ୍ଲାସ ଦେଖାଇ ପାକିସ୍ତାନ ବ୍ୟାଟିଂ ଲାଇନର ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ନିୟମିତ ବ୍ୟବଧାନରେ ୱିକେଟ ପଡିବାରୁ ପାକିସ୍ତାନ ୪୫ ଓଭର ୩ଟି ବଲରେ ୩୦୫ ରନରେ ଅଲ୍ଆଉଟ ହୋଇଯାଇଥିଲା । ଫଳରେ ୬୨ରନରେ ମ୍ୟାଚ ହାରିଥିଲା । ମହମ୍ମଦ ରିଜୱାନ ୪୬ରନ୍, ସୌଦ ଶକିଲ ୩୦ ଓ ଇଫତିକାର ଅହମଦ ୨୬ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୪ଟି, ପ୍ୟାଟ କମିନ୍ସ ୨ଟି, ଷ୍ଟୋଇନିସ ୨ଟି ଏବଂ ମିଚେଲ ଷ୍ଟାର୍କ ଓ ହେଜେଲଉଡ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଦମଦାର ବ୍ୟାଟିଂ ପାଇଁ ଡେଭିଡ ୱାର୍ଣ୍ଣରକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା ।

Leave A Reply

Your email address will not be published.