କର୍ଣ୍ଣାଟକରେ ଜେଡିଏସ ସାଜିବକି କିଙ୍ଗମେକର?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ନିର୍ବାଚନ ଯେତେ ନିକଟତର ହେଉଛି ରାଜନୈତିକ ଉଷ୍ମତା ସେତେ ବଢିବାରେ ଲାଗିଛି । ୨୨୪ ଆସନ ପାଇଁ ପ୍ରଚାରରେ କମ୍ପୁଛି ମଇଦାନ । ପୁଣି ଶାସନ ଗାଦିକୁ ଫେରିବ ବୋଲି ବିଜେପି ଦାବି କରୁଥିବାବେଳେ କଂଗ୍ରେସ କ୍ଷମତାକୁ ଫେରିବା ନେଇ ଆଶା ବାନ୍ଧିଛି । ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ୍‌ ନିର୍ବାଚନୀ ସର୍ଭେରେ କର୍ଣ୍ଣାଟକରେ ଝୁଲା ସରକାର ଗଠନ ହେବ ବୋଲି ଆକଳନ କରାଯାଉଛି । ଅନ୍ୟପକ୍ଷରେ ଦୁଇଟି ସଂସ୍ଥା ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି କହୁଥିବା ବେଳେ ଅନ୍ୟମାନେ କଂଗ୍ରେସ ସରକାରକୁ ଆସିବା ନେଇ ଆକଳନ କରୁଛନ୍ତି ।

କର୍ଣ୍ଣାଟକରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ସଂଖ୍ୟା ହେଉଛି ୧୧୩ । ଟିଭି୯ ଏବଂ ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ କହୁଛି କଂଗ୍ରେସ ୧୦୬ ଆସନରୁ ୧୧୬ ଆସନରେ, ବିଜେପି ୭୯ରୁ ୮୯ଟି ଆସନରେ ଏବଂ ଜେଡିଏସ୍‌ ୨୪ରୁ ୩୪ଟି ଆସନରେ ଜିତିବ । ରିପବ୍ଲିକ୍‌ ଟିଭି ପକ୍ଷରୁ କରାଯାଇଥିବା ମୁଡ୍‌ ଅଫ୍‌ କର୍ଣ୍ଣାଟକ ସର୍ଭରେ କଂଗ୍ରେସକୁ ୯୮ରୁ ୧୦୮ଟି ଆସନ ପ୍ରଦାନ କରାଯାଇଛି । ବିଜେପିକୁ ୮୫ରୁ ୯୫ ଆସନ ଏବଂ ଜେଡିଏସ୍‌କୁ ୨୮ରୁ ୩୩ଟି ଆସନ ପ୍ରଦାନ କରାଯାଇଛି ।

ସେହିପରି ଦି ଏସିଆନେଟ୍‌ ସୁରବର୍ଣ୍ଣ ନ୍ୟୁଜ ଜନ୍‌ କୀ ବାତ୍‌, ଏହାର ସର୍ଭରେ ବିଜେପି ୯୮ରୁ ୧୦୯ଟି ଆସନ, କଂଗ୍ରେସ ୮୯ରୁ ୯୭ଟି ଆସନରେ ଜିତିବ ବୋଲି ଆକଳନ କରିଛି । ନ୍ୟୁଜଫାଷ୍ଟ-ମାଟ୍ରିଜର ସର୍ଭେରେ ବିଜେପିକୁ ୯୬ରୁ ୧୦୬ଟି ଆସନ, କଂଗ୍ରେସକୁ ୮୪ରୁ ୯୪ଟି ଆସନ ଏବଂ ଜେଡିଏସକୁ ୨୯ରୁ ୩୪ଟି ଆସନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ଭିସ୍ତାରା ନ୍ୟୁଜ ପକ୍ଷରୁ ହୋଇଥିବା ସର୍ଭେରେ ବିଜେପିକୁ ୮୮ରୁ ୯୩, କଂଗ୍ରେସକୁ ୮୪ରୁ ୯୦ ଏବଂ ଜେଡିଏସକୁ ୨୩ରୁ ୨୬ ଆସନ ପ୍ରଦାନ କରାଯାଇଛି । ଏହି ସଂସ୍ଥା ଆକଳନ କରିଛି ଯେ, ୨୭ରୁ ୩୦ଟି ଆସନର ଫଳାଫଳ କ’ଣ ରହିବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ସାଉଥ ଫାଷ୍ଟ-ପିପୁଲ୍ସ ପଲ୍ସ ପକ୍ଷରୁ କରାଯାଇଥିବା ସର୍ଭେରେ କଂଗ୍ରେସକୁ ୯୮ଟି ଆସନ, ବିଜେପିକୁ ୯୨ଟି ଏବଂ ଜେଡିଏସକୁ ୨୭ଟି ଆସନ ଦିଆଯାଇଛି ।

ଗାଏମୋଟ ଦେଖିଲେ, ଜେଡିଏସ ୨୦୦୪ରେ ସର୍ବାଧିକ ୫୮ଟି ଆସନରେ ବିଜୟୀ ହୋଇଥିଲା । ୨୦୧୩ରେ ଏହି ଦଳକୁ ଦ୍ୱିତୀୟ ସର୍ବାଧିକ ୪୦ଟି ଆସନ ମିଳିଥିଲା । ଯଦି କର୍ଣ୍ଣାଟକରେ ଝୁଲା ବିଧାନସଭା ଗଠନ ହୁଏ ତା’ହେଲେ ୨୦୧୮ ଭଳି ମଧ୍ୟ ଜେଡିଏସ୍‌ ହିଁ କିଙ୍ଗମେକର ସାଜିବ ବୋଲି କୁହାଯାଉଛି ।

Leave A Reply

Your email address will not be published.