କେଜ୍ରିଓ୍ବାଲଙ୍କୁ ସପ୍ତମ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପିଛା ଛାଡ଼ୁନାହିଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ।  ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋଙ୍କୁ ସୋମବାର, ଫେବ୍ରୁଆରି ୨୬ ତାରିଖରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି। କେଜ୍ରିଓ୍ବାଲଙ୍କୁ ସପ୍ତମ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋଙ୍କୁ ଆସନ୍ତା ସୋମବାର ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖ ପୂର୍ବରୁ ଇଡିରେ ହାଜର ହେବାକୁ କୁହାଯାଇଛି ।

ପୂର୍ବରୁ କେଜ୍ରିଓ୍ବାଲ, ଯାଞ୍ଚ ଏଜେନ୍ସିର ୬ଟି ସମନକୁ ଅଣଦେଖା କରିଛନ୍ତି । ସେତେବେଳେ ଇଡିର ସମନ ବେଆଇନ ବୋଲି କହି, ହାଜର ହୋଇନଥିଲେ । ଏହି ମାମଲା ଏବେ କୋର୍ଟରେ ରହିଛି, ତେଣୁ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦଳୀୟ ନେତା କହିଥିଲେ । ବାରମ୍ବାର ସମନ ପଠାଇବା ପରେ ବି ଇଡିରେ ହାଜର ହେଉନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହି ମାମଲାରେ ଏବେ କୋର୍ଟରେ ଶୁଣାଣି ଜାରି ରହିଥିବାରୁ ଚୂଡାନ୍ତ ନିଷ୍ପତ୍ତି ଆସିବା ଯାଏ ଅପେକ୍ଷା କରିବାକୁ ଯାଞ୍ଚ ଏଜେନ୍ସିକୁ କହିଛନ୍ତି ଆମ୍ ଆଦମୀ ପାର୍ଟି ନେତା । ଏହା ପୂର୍ବରୁ ଷଷ୍ଠ ନୋଟିସରେ ଫେବ୍ରୁଆରୀ ୧୯ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ଆପ୍ ସୁପ୍ରିମୋ ଏହାକୁ ଅଣଦେଖା କରିଥିଲେ ।

କେଜ୍ରିୱାଲ୍‌ଙ୍କ ଦଳ ପକ୍ଷରୁ କୁହାଯାଇଥିଲା ଯେ “ଇଡି ନିଜେ କୋର୍ଟ ନିକଟକୁ ଯାଇଥିଲେ। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।” ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା। ହେଲେ ଯାଇନଥିଲେ କେଜ୍ରିୱାଲ୍‌।

Leave A Reply

Your email address will not be published.