କନ୍ଧମାଳର ଗରିବ ଡାକ୍ତରୀ ଛାତ୍ରଙ୍କ ପାଠପଢା ଖର୍ଚ୍ଚ ବହନ କରିବ କିସ୍‍ ଫାଉଣ୍ଡେସନ୍‍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାମିଲା ଗାଁର ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତରୀ ପାଠପଢା ଖର୍ଚ୍ଚ କିସ୍‍ ଫାଉଣ୍ଡେସନ୍‍ ବହନ କରିବ । ଇଫୁ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ସେ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‍ରେ ସଫଳତା ହାସଲକରି କୋରାପୁଟସ୍ଥିତ ଶହୀଦ୍‍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ତାଙ୍କର ବାପା ଅତି ଗରିବ ହୋଇଥିବାବେଳେ ଇଫୁ ତାଙ୍କର ହଷ୍ଟେଲ୍‍ ଓ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ପାଇଁ ଜଣେ ନିର୍ମାଣ ଶ୍ରମିକଭାବେ କାମ କରୁଥିବା ନେଇ କିଟ୍‍, କିସ୍‍ ଓ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ।

ଇଫୁଙ୍କ ଆର୍ଥିକ ଅନାଟନ ସମ୍ପର୍କରେ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ତାଙ୍କର ଡାକ୍ତରୀ ପାଠପଢା ଖର୍ଚ୍ଚ ବହନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ଇଫୁଙ୍କୁ ତାଙ୍କ ମେସ୍‍ ଖର୍ଚ୍ଚ ଓ ଟ୍ୟୁସନ୍‍ ଫି ବାବଦରେ ମାସିକ ୨୦ ହଜାର ଟଙ୍କା ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିବା ସହ କିସ୍‍ ଫାଉଣ୍ଡେସନ୍‍କୁ ଏହି ଅର୍ଥ ପ୍ରତିମାସ ପ୍ରଦାନ କରିବା ପରାମର୍ଶ ଦେଇଛନ୍ତି । ଏହି ସହାୟତା ପାଇଁ ଇଫୁ ଏବଂ ତାଙ୍କ ପରିବାର କିସ୍‍ ଫାଉଣ୍ଡେସନ୍‍ ଓ ଶ୍ରୀ ସାମନ୍ତଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଇଫୁ ଭଳି ଜଣେ ଗରିବ ମେଧାବୀ ଛାତ୍ରଙ୍କୁ କିସ୍‍ ଫାଉଣ୍ଡେସନ୍‍ ସହାୟତାର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ, କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଯେଭଳି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କିସ୍‍ ଫାଉଣ୍ଡେସନ୍‍ ସେମାନଙ୍କୁ ଆର୍ଥିକ ସହାୟତା ଦେଇଆସୁଛି ।

Leave A Reply

Your email address will not be published.