ଓଡ଼ିଆ ନ୍ୟୁଜ୍: ଘାଟିରୁ ଖସି ଜଳିଗଲା ଟ୍ରଲର୍; ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। ଏନ୍ଏଚ୍-୨୬ ଶୁଙ୍କି ଘାଟି ଯୋଡ଼ିମାଦିଲିରେ ଟ୍ରଲର୍ ଦୁର୍ଘଟଣାଗ୍ରସ୍ତ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି। କୋରାପୁଟ ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିର ଯୋଡ଼ିମାଦିଲି ଗାଁ ନିକଟରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଲା ଏକ ଟ୍ରଲର। ଦୁର୍ଘଟଣା ପରେ ଟ୍ରଲରଟିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଛି। ଡ୍ରାଇଭର ଜୟପ୍ରକାଶ ବର୍ମା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଶୁଙ୍କି ଥାନା ଅଧିକାରୀ ଚତୁର୍ଭୁଜ ନାୟକ ନିଜ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିବା ସହିତ ପଟାଙ୍ଗୀ ଅଗ୍ନିଶମ ବିଭାଗର ଟିମକୁ ଡକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରଲରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ସୂଚନା ଅନୁଯାୟୀ, ଉକ୍ତ ଟ୍ରଲର ନମ୍ବର(ଏପି୩୯ୟୁଏମ୍୬୧୮୩) ଗାଡ଼ିଟି ଆନ୍ଧ୍ର ରାଜ୍ୟର ଆରକୁରୁ ବାହାରି ଓଡ଼ିଶାର ନନ୍ଦପୁର ସେମିଳିଗୁଡା ପଟାଙ୍ଗୀ ହୋଇ ୨୬ ନମ୍ବର ଜାତୀୟ ରାଜପଥରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଯାଉଥିଲା। ଟ୍ରଲରଟି ବ୍ରେକ୍ ଫେଲ୍ ହୋଇଯିବା ଫଳରେ ପ୍ରେସର ପାଇପ୍ ଫାଟି ନିଆଁ ଲାଗିଯାଇଥିବା ଡ୍ରାଇଭର ବର୍ମା ପ୍ରକାଶ କରିଛନ୍ତି।