ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ନୂଆ ସରକାର ଗଠନ ପୂର୍ବରୁ ‘ଲକ୍ଷ୍ମୀ’ ବସ୍ର ରୂପ ବଦଳିବାରେ ଲାଗିଛି। ପ୍ରତି ଗାଁକୁ ସହର ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ଚଲାଇଥିଲେ ‘ଲକ୍ଷ୍ମୀ’ ବସ୍। ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେହି ବସ୍ରେ ଲାଗିଥିବା ‘ଲକ୍ଷ୍ମୀ’ ଷ୍ଟିକର ଗାଏବ ହୋଇଯାଇଛି। ଆଜି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗଡୁଥିବା ବସ୍ ଗୁଡ଼ିକରେ ‘ଲକ୍ଷ୍ମୀ’ ଷ୍ଟିକର ନଥିବା ଦେଖିବାକୁ ମିଳିଛି।
ଯେଉଁଥିପାଇଁ ବସ୍ ଯାତ୍ରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବସ୍ ସେବା ବନ୍ଦ ହୋଇଯିବ ବୋଲି ଯାତ୍ରୀଙ୍କ ସନ୍ଦେହ ପ୍ରକାଶ ପାଉଛି। ବସ୍ର ଦୁଇ ପାଖରେ ‘ଲକ୍ଷ୍ମୀ ବସ୍’ ଲେଖା ସହ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଲୋଗୋ ରହିଥିଲା । ଗୁରୁବାର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ବସରେ ଆଉ ଏହି ଲୋଗୋ ନଥିବା ଦେଖିବାକୁ ମିଳିଛି । ଲୋଗୋ ହଟାଯାଇଥିବାରୁ ଏହି ବସ୍ ଯୋଜନାକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଯାତ୍ରୀ ।
ସରକାର ବଦଳିବା ପରେ ଲକ୍ଷ୍ମୀ ବସ୍ ବନ୍ଦ ହୋଇଯିବା ନେଇ ଯାତ୍ରୀମାନେ ଆଶଙ୍କା କରୁଛନ୍ତି । ଯାତ୍ରୀଙ୍କ ସମେତ ବସର କର୍ମଚାରୀମାନେ ମଧ୍ୟ ଦ୍ବନ୍ଦରେ ପଡିଛନ୍ତି । ଲକ୍ଷ୍ମୀ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଏନେଇ ପଚାରିବାରୁ ସେମାନେ ଚିନ୍ତାରେ ଥିବା କହିଛନ୍ତି । କାରଣ ସରକାରଙ୍କ ଏହି ବସ ସେବା ଆରମ୍ଭ ହେବା ପରେ ସେମାନେ ଏଥିରୁ ପରିବାର ପ୍ରତିପୋଷଣ କରୁଛନ୍ତି । ଏମିତିରେ ଯଦି ନୂଆ ସରକାର ଲକ୍ଷ୍ମ ବସ୍ ବନ୍ଦ କରିଦେବେ, ତାହେଲେ ସେମାନେ କେମିତି ପରିବାର ଚଳାଇବେ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ।