ଆସନ୍ତୁ ଜାଣିବା ଦୁର୍ଗାପୂଜାର ପୂଜା ବିଧି

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର:  ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହୋଇଥାନ୍ତି । ତେବେ ନବରାତ୍ରୀର ପୂଜା ବିଧି ରହିଛି ।

ତେବେ ଆସନ୍ତୁ ଜାଣିବା ପୂଜା ବିଧି –
ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ, ଯାହା ଦଶହରାର ପ୍ରଥମ ବିଧି । ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢ଼ାଯାଏ । ମହାଳୟା ଠାରୁ ପ୍ରକୃତ ଦୁର୍ଗା ପୂଜା ଆରମ୍ଭ ହୁଏ, କାରଣ ଏହି ଦିନ ଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲ ଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ମା’ଙ୍କ ଚକ୍ଷୁଦାନ ସମ୍ପନ୍ନ ହୁଏ । ଏହା ମା’ଙ୍କ ବିଶେଷ ପୂଜାବିଧି । ଶାସ୍ତ୍ରମତେ ଏଥିରେ କୌଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ । ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ ଗଛକୁ ପୂଜା କରାଯାଏ। ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ ।

ଅଷ୍ଟମୀରେ ହୁଏ ମା’ଙ୍କ ମୁଖ୍ୟ ସନ୍ଧିପୂଜା। ଏହି ଦିନ ମା’ଙ୍କ ପାଖରେ ବଳି ଦିଆଯାଏ।ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା । ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି। ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ । କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି । ଏହା ସହିତ ମହିଳାମାନେ ସିନ୍ଦୂର ଖେଳ କରିଥାନ୍ତି । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।

Leave A Reply

Your email address will not be published.