ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ଗୁରୁବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନେଇ ଶୁଣାଣି କରିଛନ୍ତି। ଏଥି ସହିତ ୫ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି।

ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ବଡ଼ବେଳାକୁଟି ଗ୍ରାମର ଜଗବନ୍ଧୁ ନାଏକ(୪୦)। ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମର ଟିକିନି ନାଏକ ଓରଫ କେଶରୀ ନାମକ ମହିଳାକୁ ଗତ ୨୫/୦୯/୨୦୨୧ରେ ଜଗବନ୍ଧୁ ନାଏକ କୋଣସି କାରଣ ପାଇଁ ପିଟାମରା କରିଥିଲେ। ଏନେଇ କେଶରୀଙ୍କ ଭାଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ରାସ୍ତା ଉପରେ ପିଟାମରା କରି ତଳେ ପକାଇ ଆସାମୀ କୋଦାଳରେ କେଶରୀଙ୍କ ମୁହଁ ଓ ହାତରେ ଛେଚିଥିଲେ। ତାଙ୍କୁ ଦେଖି ଆସାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। କେଶରୀଙ୍କ ମୁଁହରେ ଆଘାତ ଲାଗି ଅନେକ ପରିମାଣର ରକ୍ତସ୍ରାବ ହେଉଥିବା ବେଳେ ଉଦ୍ଧାର କରି ବଡସାହି ସିଏଚସିରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରଥମେ ପିଆରଏମ ହସ୍ପିଟାଲ ଓ ପରେ କଟକ ଏସସିବି ହସ୍ପିଟାଲକୁ ସ୍ଥାନାତ୍ୱର କରାଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୪/୧୦/୨୦୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାକୁ ନେଇ ମଙ୍ଗୁଳି ନାଏକ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେଶ ନମ୍ବର ୨୮୭/୨୦୨୧ରେ ଏକ ମାମଲା ରୁଜୁ କରି ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ସରକାରୀ ପିପି ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ।

Leave A Reply

Your email address will not be published.