ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେ ଅଷ୍ଟିନ୍ ଆଜି ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଭାରତ-ଆମେରିକା ମଧ୍ୟରେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ‘ଟୁ ପ୍ଲସ୍ ଟୁ’ ବୈଠକ ବସିବାକୁ ଯାଉଛି। ପଞ୍ଚମ ଥର ପାଇଁ ଦୁଇ ଦେଶ ମଧ୍ୟରେ ବସୁଛି ଏହି ବୈଠକ। ଏଥିପାଇଁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଅଷ୍ଟିନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି।
ପଞ୍ଚମ ଭାରତ-ଆମେରିକା ୨ + ୨ ବୈଠକରେ ସାମିଲ ହେବେ ହେବେ ଉଭୟ ନେତା । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହେବ । ପ୍ରତିରକ୍ଷା ଠାରୁ ଆରମ୍ଭ କରି ବ୍ୟବସାୟ କ୍ଷେତ୍ରରେ ବୁଝାବଣା ହେବ ବୋଲି ଜଣାପଡ଼ିଛି । ୨ + ୨ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଣ୍ଟୋନି ବ୍ଲିଙ୍କେନ୍ ଓ ଲୟଡ୍ ଅଷ୍ଟିନଙ୍କ ସହିତ ଆଲୋଚନା କରିବେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ‘ଟୁ ପ୍ଲସ୍ ଟୁ’ ବୈଠକରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ବୃଦ୍ଧି, ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହେବ। ଚଳିତ ବର୍ଷ ଜୁନ୍ ଏବଂ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏହି ସମୟରେ ଉଭୟ ନେତା ଭାରତ-ଆମେରିକା ସହଭାଗୀତାର ଭବିଷ୍ୟତର ରୋଡମ୍ୟାପ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଆଲୋଚନା କରିଥିଲେ। ଏହାକୁ ଆଗକୁ ନେବା କ୍ଷେତ୍ରରେ ‘ଟୁ ପ୍ଲସ୍ ଟୁ’ ବୈଠକରେ ଆଲୋଚନା ହେବ।