ଆସୁଛନ୍ତି ମା’: ପ୍ରସ୍ତୁତିରେ ଲାଗିଛନ୍ତି କାରିଗର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣର ଋତୁ । ଗଣେଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଏହି ପାର୍ବଣ ଋତୁ ରେ ଆଗକୁ ଆସୁଛି ମା”ଙ୍କ ପୂଜା । ହାତରେ ମାତ୍ର ଆଉ ଗୋଟେ ମାସର ଅପେକ୍ଷା । ଧରାବତରଣ କରିବେ ମା ଦୁର୍ଗତିନାଶିନୀ ଦୁର୍ଗା। ଝିଲମିଲ୍ ଆଲୋକମାଳାରେ ଚମକି ଉଠିବ ଗାଁ ରୁ ସହର । ପୂଜା ମଣ୍ଡପ ଗୁଡ଼ିକ ଭକ୍ତଙ୍କ ଗହଣରେ ପୁରି ଉଠିବ । ଦୀର୍ଘ ୨ ବର୍ଷ ପରେ ଭକ୍ତମାନେ ମା’ଙ୍କୁ ମଣ୍ଡପରେ ଯାଇ ପୂଜା ଓ ଆରାଧନା କରିପାରିବେ । କରୋନା ରୂପକ ମହାକାଳକୁ ନାଶ କରି ମା’ ଦୁର୍ଗତିନାଶିନି ଦୁର୍ଗା ଆସୁଛନ୍ତି । ମା’ଙ୍କ ପୂଜା ଯେତେ ପାଖେଇ ଆସୁଛି ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। କେଉଁଠି ତୋରଣ ପାଇଁ ବାଉଁଶ ବନ୍ଧା ଚାଲିଛି ତ ଆଉ କେଉଁଠି ମାଙ୍କ ସୁନା ଚାନ୍ଦି ମେଢ଼ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ବିଶେଷ କରି କଟରେ ମା’ଙ୍କ ଚାନ୍ଦି ମେଢ ବେଶ୍ ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେଣୁ ମା’ଙ୍କ ଚାନ୍ଦିମେଢ ପ୍ରସ୍ତୁତି ପାଇଁ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି କାରିଗର ।

ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ପ୍ରାୟ ୧୭୮ଟି ପୂଜା ପେଣ୍ଡାଲରେ ମାଙ୍କ ଆକର୍ଷଣୀୟ ମୂର୍ତ୍ତି ପୂଜା ପାଇବ । ଯେଉଁଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା ମହାମରୀ ଯୋଗୁଁ ଗତ ୨ ବର୍ଷ ହେବ ମାଆଙ୍କ ଦର୍ଶନ ତଥା ସାଜସଜ୍ଜା, ତୋରଣ ମେଡ଼ ଆଦି ନିର୍ମାଣରେ କଟକଣା ଲାଗିଥିବା ବେଳେ, ଚଳିତ ବର୍ଷ ମା’ଙ୍କ ପୂଜା ବେଶ ଧୂମଧାମରେ କରିବା ପାଇଁ ଲାଗିପଡିଛନ୍ତି ପୂଜା ମଣ୍ଡପ କର୍ମକର୍ତ୍ତା । ଯଦିଓ ପ୍ରଶାସନର କିଛି କଟକଣା ଅଛି, ତଥାପି ଦୀର୍ଘ ୨ ବର୍ଷ ପରେ ପୂଜା ଧୁମଧାମରେ ହେଉଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି । ଫଳରେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କୁ ଏଥର କାମ ମିଳିଛି। ପାର୍ବଣ ଆରମ୍ଭରୁ କାରିଗର ମାନେ ମାଙ୍କ ମଣ୍ଡପ ସାଜସଜ୍ଜା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ।

ସେହିଭଳି ଗତ ୨ ବର୍ଷ ହେବ କରୋନା କଟକଣା ପାଇଁ ମା’ଙ୍କ ମୂର୍ତ୍ତିରେ ସୁନା ଚାନ୍ଦି ମେଢ ଲାଗିପାରି ନଥିଲା। ଏଥର କରୋନା କଟକଣା ସାମାନ୍ୟ କୋହଳ ହୋଇଥିବାରୁ ସିଲଭର ସିଟି କଟକର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନିକଟରେ ଲାଗି ହେବାକୁ ଥିବା ସୁସଜ୍ଜିତ ଚାନ୍ଦି ମେଡ଼ ପୂଜାର ଶୋଭା ବଢ଼ାଇବ। ଯାହାପାଇଁ ମେଢ଼ ପ୍ରସ୍ତୁତ କରୁଥିବା କାରିଗରମାନେ ଆଗୁଆ ପ୍ରସ୍ତୁତିରେ ଲାଗିପଡିଛନ୍ତି। ପୂଜା ପାଇଁ ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ନିର୍ମାଣ କାମ ମଧ୍ୟ ଆଗେଇ ଚାଲିଛି। ଦୂର୍ଗାପୂଜା ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କିପରି କଡ଼ାକଡ଼ି କରାଯିବ, ସେନେଇ ସ୍ଥାନୀୟ ପ୍ରଶାସନ ଲାଗି ପଡ଼ିଛି ।

 

Leave A Reply

Your email address will not be published.