ବିହାରରେ ଭାଙ୍ଗିଲା ମହାମେଣ୍ଟ ! ଭକ୍ତଚରଣ ଦାସ କହିଲେ- କଂଗ୍ରେସ ଆଉ ଆରଜେଡି ସହ ନାହିଁ

0

ବିହାରରେ ବିରୋଧୀ ଦଳଙ୍କ ମହାମେଣ୍ଟ ଭାଙ୍ଗିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଗତ ଅନେକ ଦିନରୁ ଧରି ଜାରି ଟଣାଓଟରା ପରେ ଶୁକ୍ରବାର କଂଗ୍ରେସ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ଏବେ ଆରଜେଡି ସହିତ ନାହିଁ । ଦଳ ଏବେ ଏକାକୀ ରାଜ୍ୟରେ ନିର୍ବାଚନ ଲଢିବ । ଆଜି କହ୍ନେୟା କୁମାର, ଜିଗ୍ନେଶ ଓ ହାର୍ଦ୍ଦିକ ପଟେଲ୍ ପାଟନା ପହଞ୍ଚିବା ପୂର୍ବରୁ ଭକ୍ତଚରଣ ଦାସ ଏହି ଘୋଷଣା କରିଛନ୍ତି । ଏହା ଉପରେ ଜବାବ ଦେଇ ଆରଡେଡି କହିଛି ଯେ, କଂଗ୍ରେସକୁ ରାଜ୍ୟର ବାସ୍ତବତା ଜଣା ନାହିଁ ।

ବିହାରରେ କଂଗ୍ରେସ ଓ ଆରଜେଡି ମେଣ୍ଟ ଗତ ତିନି ଦଶନ୍ଧି ଧରି ଚାଲି ଆସିଛି । ହେଲେ ମଝିରେ ମଝିରେ ଦୁଇ ପାର୍ଟି ଅଲଗା ହୋଇଥିଲେ ମଧ୍ୟ ପୁଣି ଥରେ ମିଶିଛନ୍ତି । ହେଲେ ଏବେ ଦୁଇଟି ବିଧାନସଭା ଆସନରେ ହେଉଥିବା ଉପ ନିର୍ବାଚନକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତା ଓ ମତଭେଦ ବଢି ଯାଇଛି । ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଦୁଇ ଆସନରେ ନିଜର ପ୍ରାର୍ଥୀ ଛିଡା କରାଇଥିବା ବେଳେ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛି । ଏହା ପରେ ଦୁଇ ଦଳର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ଜାପ୍ ପ୍ରମୁଖ ପପୁ ଯାଦବ ଉପ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେଇଛନ୍ତି । ପାଟନାରେ ସେ କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ପରେ ଭକ୍ତଚରଣ କହିଛନ୍ତି, ପପୁଙ୍କ ସମର୍ଥନରେ କଂଗ୍ରେସକୁ ନିର୍ବାଚନରେ ଅଧିକ ବଳ ମିଳିବ ।

ଭକ୍ତଚରଣ ଆରଜେଡି ଉପରେ ମେଣ୍ଟ ଭାଙ୍ଗିବାର ଆରୋପ ଲଗାଇଛନ୍ତି । ସେ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଦଳ ଆରଜେଡି ସହ କୌଣସି ଆସନ ବୁଝାମଣା କରିବ ନାହିଁ । କଂଗ୍ରେସ ନିଜ ଦମରେ ନିର୍ବାଚନ ଲଢିବ । ସମସ୍ତ ୪୦ ଆସନରେ ଦଳ ନିଜର ପ୍ରାର୍ଥୀ ଦେବ । ଆମେ ଉପ ନିର୍ବାଚନ ନିଜ ଦମରେ ଏବଂ ତାକତରେ ଲଢିବୁ । ଆମେ ମେଣ୍ଟ ଭାଙ୍ଗିନୁ । ମାତ୍ର ଆରଜେଡି ମେଣ୍ଟ ଧର୍ମ ପାଳନ କରି ନାହିଁ ବୋଲି ଭକ୍ତଚରଣ ଦାସ କହିଛନ୍ତି ।

Leave A Reply

Your email address will not be published.