ବିଜେପି ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ନେଲେ ମନମୋହନ ସାମଲ, କହିଲେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ଜନତା ପାର୍ଟୀ ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରୀକ ଏବଂ କ୍ୟାଡର ଭିତିକ ରାଜନୈତିକ ଦଳ । ଏହି ଦଳକୁ ଗଢି ତୋଳିବା ପାଇଁ କୋଟି କୋଟି କାର୍ଯ୍ୟକର୍ତାଙ୍କ ଅବଦାନ ଓ ବଳିଦାନ ଚିରସ୍ମରଣୀୟ । ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେଉଛି ଦଳର ମୁଳମନ୍ତ୍ର । ଏହାକୁ ଆଧାର କରି ବିଜେପି ଲୋକଙ୍କ ସେବା କାର୍ଯ୍ୟ କରୁଛି ଏବଂ ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ରହିଛି । ବିଶ୍ୱାସଭାଜନ ହୋଇପାରିଛି । ଥରୁଟିଏ ସୁଯୋଗ ଦେଲେ ୫ ବର୍ଷ ଭିତରେ ଅପାର ସମ୍ଭାବନା ଥିବା ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ ବୋଲି ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯାଇ ବିଜୁ ଜନତା ଦଳର ପ୍ରତିଷ୍ଠା ହୋଇଥିଲା । ଆଜି ତାଠୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ପୋରକ ସ୍ଥିତି ବିଜେଡି ଶାସନରେ ଦେଖାଯାଇଛି । ବିଜେଡି କଂଗ୍ରେସ ଦଳକୁ ବଳିଗଲାଣି । ଓଡିଶାରେ ସବୁକିଛି ଥାଇ ସୁଦ୍ଧା ଓଡିଆ ଆଜି ଗରୀବ । ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି । ଗଣତନ୍ତ୍ର ବିପଦରେ । ବର୍ତମାନ ବିଜେଡି ସରକାରକୁ ତଡିବାର ସମୟ ଆସିଯାଇଛି । ଜନବିରୋଧୀ, ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ ।

୨୦୦୦ ମସିହାରେ କଂଗ୍ରେସ ଦଳକୁ ହଟାଇବା ପାଇଁ ଶପଥ ନେଇଥିଲୁ, ଏବେ ବିଜେଡିକୁ ହଟାଇବା ପାଇଁ ଶପଥ ନେଉଛୁ । ଦୀର୍ଘ ୨୩ ବର୍ଷର ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢିବା, ଜିତିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା । ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି ବୋଲି ଶ୍ରୀ ସାମଲ କହିଛନ୍ତି ।ଓଡିଶାରେ ଆମକୁ ଅନ୍ୟ ରାଜନୈତିକ ଦଳ ଅତୀତରେ ସାଇନବୋର୍ଡ ପାର୍ଟୀ ବୋଲି କହିଥିବାବେଳେ ବିଜେପିର ଭୋଟ ଆଜି ୩୯ ପ୍ରତିଶତରେ ପହଂଚିଛି । ସଂଘର୍ଷରୁ ଆମ ଦଳ ଏହି ସ୍ଥାନରେ ପହଂଚିପାରିଛି । ବର୍ତମାନ ସମୟ ବଦଳି ଯାଇଛି । ସାଧାରଣ ଲୋକ ଏଥର ନିର୍ବାଚନ ଲଢିବେ ଏବଂ ସେମାନେ ସରକାର ଗଠନ କରିବେ । ଆମ ଦଳର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ ବୋଲି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟରେ ରାଜନୈତିକ ସିଷ୍ଟମକୁ ବିଜେଡି ନଷ୍ଟ କରିଦେଇଛି । ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବଙ୍କ ଦେଖା ମିଳୁ ନାହିଁ । କୃଷି, ଶିଳ୍ପ, ପର୍ଯ୍ୟଟନ, ଜଳସେଚନ ଆଦି କ୍ଷେତ୍ରରେ ଓଡିଶା ଆଜି ବହୁ ପଛରେ ପଡିଯାଇଛି । ଦାଦନ, କଟନୀ-ଛଟନୀରେ ଶିକାର ଆଜି ରାଜ୍ୟବାସୀ । ବିରୋଧୀଙ୍କୁ ପୋଲିସ ପ୍ରଶାସନର ଅପବ୍ୟବହାର କରି ମିଛ କେସ୍ରେ ଜେଲରେ ଭର୍ତି କରାଯାଉଛି । ୨୩ ଜଣ ଯୁବ କାର୍ଯ୍ୟକର୍ତାଙ୍କୁ ମିଛ କେସରେ ଜେଲରେ ବର୍ତି କରିଦିଆଯାଇଛି । ଲଢେଇ ଆରମ୍ଭ ହୋଇସାରିଛି । ରାଜ୍ୟବାସୀ ବିକଳ୍ପ ସରକାର ଖୋଜୁଛନ୍ତି । ରାଜ୍ୟର ସାମୁହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ ନକ୍ସା ପ୍ରସ୍ତୁତ ଅଛି । ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନବନିଯୁକ୍ତ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନ ଦାୟୀତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟକର୍ତାଙ୍କ ସହଯୋଗରେ ଦଳର ସଂଗଠନକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ନମନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆମେ ସମସ୍ତେ ଏକାଠି ହୋଇ ବିଜେଡି ସରକାରକୁ ଓପାଡି ଫୋପାଡିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟବାସୀଙ୍କ ପାଖରେ କୈାଣସି ଉତର ରଖିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦକ୍ଷତା କି ସାହସ ନାହିଁ । ଯେତେ ଶୀଘ୍ର ବିଜେଡି ସରକାରର ପତନ ହେବ, ଓଡିଶାବାସୀଙ୍କ ମଙ୍ଗଳ ହେବ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି ।

ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡିଶା ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, କେ.ଭି.ସିଂହଦେଓ, ସାଂସଦ ପ୍ରତାପ ଷଡଙ୍ଗୀ, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରମୁଖ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅପାରଗ ଓ ର୍ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଶାଣିତ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ବରିଷ୍ଠ ନେତା ଓ କାର୍ଯ୍ୟକର୍ତା, ରାଜ୍ୟ ପଦାଧିକାରୀ, ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ କାର୍ଯ୍ୟକର୍ତା ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.