ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବାର ଖବର ମିଳିଛି। ଉଭୟ ପକ୍ଷଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଗୁଳି ବିନିମୟ। ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଡିଆରଜି ଟିମ୍ । ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏବେ ବି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ ମାଓବାଦୀଙ୍କୁ ଖୋଜୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବଡ଼ଧରଣର ଏନ୍କାଉଣ୍ଟର ଘଟଣା ଘଟିଥିଲା। ଏହି ଗୁଳିମାଡ଼ରେ ୩ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟପଟରେ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୧୨ଜଣ ମାଓବାଦୀ ନିପାତ ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳ ଅଭିମୁଖେ ଅତରିକ୍ତ ସୁରକ୍ଷା ବାହିନୀ ପହଞ୍ଚିଥିଲେ।