ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପ୍ରଭାତରେ ଭୁବନେଶ୍ଵର ମହାନଗର ନିଗମର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଖବର କାଗଜ ବିତରକ (ହକର) ମାନଙ୍କୁ ଭେଟି ସେମାନଙ୍କ ସମର୍ଥନ ଲୋଡିଥିଲେ ।
ଶ୍ରୀମତୀ ଦାସ ସାମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ଖବରକାଗଜ ବିତରକମାନେ ତାଙ୍କୁ ନିସର୍ତ୍ତ ସମର୍ଥନ କରିବା ସହିତ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ସାମ୍ବାଦିକତା କ୍ଷେତ୍ରରେ ତୃଣମୂଳ ସ୍ତରରେ ରହି ଲୋକମାନଙ୍କ ପାଖରେ ଦେଶ ବିଦେଶର ଖବର ପହଞ୍ଚାଉଥିବାରୁ ଶ୍ରୀମତୀ ଦାସ ସେମାନଙ୍କ କାର୍ଯ୍ୟର ଭୂଇୟସୀ ପ୍ରଶଂସା କରିଥିଲେ । ବିତରକ ମାନେ ମଧ୍ୟ ନିର୍ବାଚନରେ ସେମାନଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏହାପରେ ଶ୍ରୀମତୀ ଦାସ ବଡଗଡ ବ୍ରିଟ ପାର୍କ ଓ ରାମେଶ୍ୱର ପାର୍କରେ ପ୍ରାତଃଭ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ସହ ସଂପର୍କକୁ ଦୃଢୀଭୂତ କରିବା ସହ ସେମାନଙ୍କର ସହଯୋଗ କାମନା କରିଥିଲେ ।
ତାପରେ ବିଶେଶ୍ୱର ମନ୍ଦିର ନିକଟରେ ଜଗମୋହନ ନଗର ବାସିନ୍ଦାମାନଙ୍କୁ ଭେଟି ଆଗମୀ ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ ।
ଏହାପରେ ରାମମନ୍ଦିରରେ ଅନୁଷ୍ଠିତ ହେଉଥିବା ସାମୁହିକ ବିବାହ ପର୍ବରେ ଯୋଗଦେଇ ନବ ଦମ୍ପତିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟର ପ୍ରାରମ୍ଭ ପାଇଁ ଶୁଭକାମନା ଦେଇଥିଲେ ।
ନିକଟସ୍ଥ ଗୁରୁଦ୍ୱାରା ଯାଇ ପୂଜାର୍ଚ୍ଚନା କରିବା ସହ ଶ୍ରଦ୍ଧାଳୁମାନଙ୍କୁ ଭେଟିବା ପରେ ଗ୍ରୀନ ପାର୍କ କମ୍ୟୁନିଟୀ ଆସୋସିଏସନର ସଦସ୍ୟମାନଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ । ଏତଦ୍ ସହିତ ଜଳେଶ୍ଵର ମୁଣ୍ଡାସାହିକୁ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ ।
ବାସଭବନରେ ସ୍ବେଛାସେବୀ ସଂଗଠନର ସଦସ୍ୟ ଓ ଟାଟା ପାୱାର କର୍ମଚାରୀ ୟୁନିଅନର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ସାହାଯ୍ୟ ଲୋଡିଥିଲେ ।
ପରବର୍ତ୍ତୀ ମୁହୂର୍ତ୍ତରେ ଶ୍ରୀମତୀ ଦାସ ପୋଖରୀପୁଟର କୋକିଳା ରିସୋର୍ଟ ଠାରେ ଅନୁଷ୍ଠିତ ଏକ ଜନସଭାରେ ଆସିଥିବା ସାଧାରଣଲୋକଙ୍କ ସହ ଆଲୋଚନା କରି ଜନସଂପର୍କ ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ । ପାଇକପୁର, ସାମପୁର ଓ ନିଳାଦ୍ରୀ ବିହାରକୁ ଯାଇ ବିଭିନ୍ନ ବର୍ଗର ଲୋକମାନଙ୍କୁ ଭେଟି ଆସନ୍ତା ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ ।
ଭୁବନେଶ୍ଵର ବିଭିନ୍ନ ଅଞ୍ଚଳକୁ ଜନସଂପର୍କ ଅଭିଯାନରେ ଯିବା ସମୟରେ ସାଧାରଣ ଲୋକଙ୍କ ସମର୍ଥନ ମିଳିଛି । ଏହି ଜନସଂପର୍କ ଯାତ୍ରା ସମୟରେ ଶ୍ରୀମତୀ ଦାସ ଶଙ୍ଖ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ହାତମୁଠାକୁ ସୁଦୃଢ କରିବାପାଇଁ ନିବେଦନ କରିଛନ୍ତି ।
ଏହାସହିତ ସେ ଭୁବନେଶ୍ଵର ସହରବାସୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ବର୍ଣ୍ଣନା କରିବା ସହିତ ଆଗାମୀ ଦିନରେ ମନ୍ଦିରମାଳିନୀ ରାଜଧାନୀ ପାଇଁ ନିଜର ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ ।