‘ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ’

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏଣିକି ସବୁ ରାଜ୍ୟରେ ଖୋଲିବ ମେଡିକାଲ କଲେଜ । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ | ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି।

ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି। ତାହା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହାବାଦ ଅନ୍ୟ ସବୁ ଜିଲ୍ଲାରେ ବି ଛିଡ଼ା ହେବ ମେଡିକାଲ କଲେଜ । ତାଳଚେର ଓ କନ୍ଧମାଳରେ ଏନେଇ ଆଉ ଦୁଇଟି ମେଡିକାଲ କଲେଜ ଆରମ୍ଭ ହେବାକୁ ଯାଉଛି । ଏହାପରେ ସବୁ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ । ଏନେଇ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ ଖସଡା ପ୍ରସ୍ତୁତି କରି ଖୁବ୍ ଶୀଘ୍ର କାମ ଆରମ୍ଭ କରିବ । ଏଥଥିସହିତ ମେଡିକାଲ କଲେଜ ନିର୍ମାଣ ସହିତ ଏଥିରେ ଅଧ୍ୟାପକ ନିଯୁକ୍ତି ନେଇ ବ୍ୟବସ୍ଥା କରାଯାଉଛି ।

ଆମ ରାଜ୍ୟବାସୀ ଯେପରି ଉନ୍ନତିମାନର ସ୍ବାସ୍ଥ୍ୟ ସେବା ପାଇବେ ସେଥିପ୍ରତି ସରକାର ଯତ୍ନବାନ ଓ ସଚେତନ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏଥି ସହ ସେ ଏହା ବି କହିଛନ୍ତି ଯେ, ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି କହିଥିଲେ । ଏହା ପରଠୁ ଓଡିଶାରେ ଏବେ ୧୧ଟି ମେଡିକାଲ କଲେଜ ଚାଲିଛି । ଏହାକୁ ତ୍ବରାନ୍ବିତ କରାଯାଇ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.