ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ। ୨୦୧୯ ଲୋକସଭା ନିର୍ବାଚନରେ ମିମି ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ଯାଦବପୁର ଆସନରୁ ବିଜୟୀ ହୋଇଥିଲେ। ବର୍ତ୍ତମାନ ନିଜ ଆସନରେ ଟିଏମ୍ସିର ସ୍ଥାନୀୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା କହିଛନ୍ତି। ତେବେ ସେ ନିଜ ଇସ୍ତଫା ପତ୍ରକୁ ଲୋକସଭା ଅଧ୍ୟକ୍ଷକୁ ଦେଇ ନାହାନ୍ତି। ତେଣୁ ବୈଷୟିକ ଦୃଷ୍ଟିରୁ ସେ କେବଳ ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହାକୁ ଏକ ଆନୁଷ୍ଠାନିକ ଇସ୍ତଫା ଭାବରେ ବିବେଚନା କରାଯିବ ନାହିଁ।
ଯାଦବପୁରର ସାଂସଦ ଥିବା ମିମି ଚକ୍ରବର୍ତ୍ତୀ କହିଛନ୍ତି ଯେ ସ୍ଥାନୀୟ ତୃଣମୂଳ ନେତୃତ୍ୱଙ୍କ ସହ ତାଙ୍କର ମତଭେଦ ରହିଛି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ନିଜେ ସମସ୍ୟାର ଯତ୍ନ ନେବେ। ‘ଯାଦବପୁର ପାଇଁ ମୋର ଏକ ସ୍ୱପ୍ନ ଥିଲା, କିନ୍ତୁ ମୁଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲି। ଯେତେବେଳେ କୌଣସି ବ୍ୟକ୍ତି ଫିଲ୍ମ ପୃଷ୍ଠଭୂମିରୁ ରାଜନୀତି କ୍ଷେତ୍ରକୁ ଆସନ୍ତି, ସେ କାମ କରନ୍ତି ନାହିଁ ବୋଲି କହିବା ସହଜ’ ବୋଲି ସେ କହିଛନ୍ତି।ମିମି ଚକ୍ରବର୍ତ୍ତୀ ସାଂସଦ ହେବା ସହ ଜଣେ ଅଭିନେତ୍ରୀ ମଧ୍ୟ।
ସେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହାରା। ୨୦୧୨ରେ ଫିଲ୍ମ ଚାମ୍ପିଅନ୍ ଜରିଆରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ମିମି। ସେ ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଲୋକପ୍ରିୟତାକୁ ଦେଖି ୨୦୧୯ରେ ଟିଏମ୍ସି ତାଙ୍କ ନିବାଚର୍ନୀ ଟିକେଟ ଦେଇଥିଲା। ପାଖାପଖି ୨ ଲକ୍ଷ ୯୫ ହଜାର ଭୋଟ୍ରେ ବିଜେପି ପ୍ରାର୍ଥୀକୁ ହରାଇ ଥିଲେ।