କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ୬ ଦିନ ମଧ୍ୟରେ ରାଜ୍ୟରେ ୧୫ଟି ସାଧାରଣ ସଭା ଏବଂ ରୋଡ୍‌ ସୋ’ରେ ଭାଗ ନେବେ ମୋଦି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିଜେପି ଓ କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରୁଛନ୍ତି । ୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତ ମେ’ ୧୦ ତାରିଖରେ ଭୋଟ୍‌ ଗ୍ରହଣ ହେବ ଏବଂ ମେ’ ୧୩ ତାରିଖରେ ଫଳାଫଳ ଆସିବ । ତେବେ ଇତିମଧ୍ୟରେ ବିଜେପିର ତାରକା ପ୍ରଚାରକ ତାଲିକାରେ ବିଭିନ୍ନ ରାଜ୍ୟର ମୋଟ ୪୦ ବିଜେପି ନେତାଙ୍କ ନାମ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କର୍ଣ୍ଣାଟକରେ ବିଜେପିର ପ୍ରମୁଖ ତାରକା ପ୍ରଚାରକ ହୋଇଥିବାବେଳେ ନଡ୍ଡା ଓ ଶାହା ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନ ମଧ୍ୟରେ ରାଜ୍ୟରେ ପ୍ରାୟ ୧୫ଟି ସାଧାରଣ ସଭା ଏବଂ ରୋଡ୍‌ ସୋରେ ଭାଗ ନେବେ ।

ସୂତ୍ରରୁ ପ୍ରକାଶ ଯେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୮ରେ ରାଜ୍ୟରେ ପ୍ରଚାର ଆରମ୍ଭ କରିବେ ଏବଂ ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ଜାରି ରଖିବେ । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ରୁ ୧୫ଟି ସାଧାରଣ ସଭା, ସମାବେଶ ଏବଂ ରୋଡ୍‌ ସୋ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ୨୮ ଏପ୍ରିଲ, ୨୯ ଏପ୍ରିଲ, ମେ ୩, ମେ ୪, ମେ ୬ ଏବଂ ମେ ୭ରେ ପ୍ରଚାର କରିବେ । ସୂତ୍ର ଅନୁସାରେ, କର୍ଣ୍ଣାଟକ ନିର୍ବାଚନକୁ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ସେଥିପାଇଁ ଅନ୍ୟ ରାଜ୍ୟ ଅପେକ୍ଷା କର୍ଣ୍ଣାଟକ ଉପରେ ବିଜେପି ଅଧିକ ଧ୍ୟାନ ଦେଉଛି । ରାଜ୍ୟରେ ଦ୍ୱିତୀୟ ଥର କ୍ଷମତା ହାସଲ ପାଇଁ ବିଜେପି ଚାହୁଁଛି ଓ ସେଥିପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେମାନଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ବେଲଗାଭିରୁ ନିଜର ଅଭିଯାନ ଆରମ୍ଭ କରିବେ । ତେବେ କିଏ କର୍ଣ୍ଣାଟକରେ ବାଜି ଜିତୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.