ସତ ଲୁଚେଇବା ପାଇଁ ପାଣି ଛାଡିଲା ଛତିଶଗଡ, ଖୋଲିଲା ୨୦ଟି ଗେଟ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ସତ ଲୁଚେଇବା ପାଇଁ ପାଣି ଛାଡିଲା ଛତିଶଗଡ । କଲମା ବ୍ୟାରେଜରୁ ୨୦ଟି ଗେଟ୍ ଖୋଲି ପାଣି ଛାଡ଼ିଛି ଶତିଶଗଡ଼ । ପୂର୍ବରୁ କଲମାର ୧୭ଟି ଗେଟ ଖୋଲିଥିବା ବେଳେ ଏବେ ଆହୁରି ୩ଟି ଗେଟ୍ ଖୋଲାଯାଇଛି । ଫଳରେ ଏବେ ୨୦ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ପାଣି ଛାଡ଼ିବା ପରେ ପୁଣିଥରେ ପଦାରେ ପଡ଼ିଯାଇଛି ଛତିଶଗଡ଼ର ସତ । କଲମା ବ୍ୟାରେଜରୁ ପାଣି ଛାଡ଼ିବା ପରେ ତଳମୁଣ୍ଡରେ ଜଳ ନିଷ୍କାସନ ପରିମାଣ ବଢ଼ିଥିବା ଦେଖିବାକୁ ମିଳିଛି । ଏମିତିକି ହୀରାକୁଦ ନଦୀବନ୍ଧକୁ ମଧ୍ୟ ଜଳପ୍ରବେଶର ପରିମାଣ ବଢ଼ିଛି । ନଜର ପକାନ୍ତୁ, ଗତ ୬ ଦିନ ଭିତରେ କେମିତି ଇନଫ୍ଲୋ ୱାଟରର ପରିମାଣ ବଢ଼ି ବଢ଼ି ଚାଲିଛି । କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୨୦ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଛି । ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି । କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି । ଏଥିରେ ସର୍ବାଧିକ ୫୦ ଦଶମିକ ୩୯ କ୍ୟୁବିକ୍ ମିଲିୟନ୍ ମିଟର ଜଳ ସଂରକ୍ଷଣ ହୋଇପାରିବ ।

ସେପଟେ ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି । ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ଛତିଶଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲେ । ଆସନ୍ତା ୧୦ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଆସୁଛନ୍ତି । ଏହି ମହାନଦୀ ଟ୍ରିବ୍ୟୁନାଲ ଆସନ୍ତା ମାସରେ ଗସ୍ତ ସମୟରେ ପ୍ରଥମେ ହୀରାକୁଦ ଡେଲ୍ଟା ଅଂଚଳ ପରିଦର୍ଶନ କରିବେ ।

ସିଡବ୍ଲୁସିର ତଥ୍ୟ ଅନୁସାରେ, ଏଯାଏଁ ଛତିଶଗଡ ମହାନଦୀର ଉପରମୁଣ୍ଡରେ ୨୫୩ ଟି ଛୋଟ ବଡ଼ ପ୍ରକଳ୍ପ କରିସାରିଲାଣି। ୨୦୦୮ ମସିହାରୁ ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ ହେଁ ୨୦୧୭ ରେ ମହାନଦୀକୁ ନେଇ ତତ୍ପର ହୋଇ ଉଠିଥିଲେ ସରକାର। ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାନଦୀକୁ ମା ବୋଲି କହିବା ସହ ମହାନଦୀର ପାଣି ଓଡ଼ିଶାବାସୀଙ୍କ ହକ୍, ହକ୍ ହାସଲ ପାଇଁ କାହା ସହିତ ସାଲିସ୍ କରାଯିବ ନାହିଁ, ମହାନଦୀ ଆମ ପରବର୍ତ୍ତୀ ପୀଢିର ସମ୍ପତ୍ତି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହି ଆରମ୍ଭ କରିଥିଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହନଦୀ ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ବର୍ଷା ଦିନେ ସମୁଦ୍ରକୁ ବୋହି ଯାଉଥିବା ୫୨ ପ୍ରତିଶତ ଜଳକୁ ଅଟକାଇବା ପାଇଁ ମାଷ୍ଟର ପ୍ଲାନ ବି ସାରିଥିଲେ । ୭ ଟି ବଡ଼ ବ୍ୟାରେଜ ସହ ୩୦ ଟି ସ୍ଥାନରେ ନଦୀ ମଧ୍ୟରେ ଜଳାଶୟ କରିବାକୁ ୨୦୧୭ରୁ ଘୋଷଣା କରାଯାଇଥିଲା । ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ,ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଭଳି ୭ ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା । ଏହାବାଦ୍ ନଦୀ ଭିତରେ ଜଳାଶୟ ଲାଗି ୧୮ ଟି ଛୋଟ ପ୍ରକଳ୍ପ ପାଇଁ ୧୦୦ କୋଟି, ୯ ଟି ବୃହତ ପ୍ରକଳ୍ପ ଲାଗି ୧୦୦ ରୁ ୫୦୦କୋଟି ଏବଂ ଦୁଇଟି ଜମ୍ବୋ ପ୍ରକଳ୍ପ ପାଇଁ ୫୦୦ କୋଟିର ଘୋଷଣା କରାଯାଇଥିଲେ ବି ଗୋଟିଏ ବି ପ୍ରକଳ୍ପ ବାସ୍ତବ ରୂପ ନେଇ ପାରିନି ଏଯାଏଁ । ବରଂ ନିର୍ବାଚନ ପରର ରାଜନୈତିକ ଉଷ୍ମତା ପରି ଥମିଯାଇଛି ଏହି ଆନ୍ଦୋଳନ। ମହାନଦୀର ଏହି ଜଳ ଆବଣ୍ଟନକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଥିବା ଦୀର୍ଘଦିନର ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଢ଼ା ହୋଇଥିବା ବେଳେ ଦୀର୍ଘବର୍ଷ ପରେ ଏବେ ମହାନଦୀ ଉତ୍ପତ୍ତି ସ୍ଥଳଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ଅନୁଧ୍ୟାନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍।

Leave A Reply

Your email address will not be published.