ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲୁହରେ ଭିଜିଲା ମୋଦିଙ୍କ ଆଖି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବେଙ୍ଗାଲୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ପହଞ୍ଚିବା ପରେ ସିଧା ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଭେଟିଥିଲେ ଏବଂ ଚନ୍ଦ୍ରାୟନ୩ ପାଇଁ ସେମାନଙ୍କର ପରିଶ୍ରମ ଓ ଧୈର୍ୟ୍ୟକୁ ଶତ ପ୍ରଶଂସା କରିଥିଲେ । ଏହି ଅବସରରେ ମୋଦୀ କହିଥିଲେ ଯେ, ‘ ସେ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ଥିଲେ ବି ତାଙ୍କ ମନ କିନ୍ତୁ ଭାରତରେ ଥିଲା । ଅଗଷ୍ଟ ୨୩ ତାରିଖରେ ତାଙ୍କର ପ୍ରତିଟି ମୁହୂର୍ତ୍ତକେବଳ ଚନ୍ଦ୍ରଯାନ ପାଇଁ ଚିନ୍ତିତ ଥିଲା । ଆଉ ଯେତେବେଳେ ଚନ୍ଦ୍ରଯାନ ଚନ୍ଦ୍ର ମାଟିରେ ପାଦ ଥାପିଲା ତାଙ୍କର ମନର ଅବସ୍ଥା ବର୍ଣ୍ଣନା କରିବା କଷ୍ଟକର । ବିଦେଶରେ ଭାରତର ଏଭଳି ସଫଳତାକୁ ସେ ଅନୁଭବ କରିଛନ୍ତି । ସମସ୍ତଙ୍କ ମୁହଁରେ ଭାରତର ପ୍ରଶଂସା ସେ ଶୁଣିଛନ୍ତି ।

ଇସ୍ରୋ ମୁଖ୍ୟାଳୟରେ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସମୟରେ ସେମାନଙ୍କୁ ହାତ ଯୋଡି ପ୍ରଣାମ କରିଥିଲେ ମୋଦୀ । ଏହି ସମୟରେ ତାଙ୍କ କଣ୍ଠ ରୁଦ୍ଧ ହୋଇଯାଇଥିଲା ଏବଂ ତାଙ୍କ ଆଖି ଲୁହରେ ଭରିଯାଇଥିବାର ଦେଖିବାକୁ ମିଳିଥିଲା । ଏହାପରେ ସେ ଇସ୍ରୋ ବୈଜ୍ଞାନିକଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇବା ସହ ଶୁଭେଚ୍ଛା ଜଣାଇଥିଲେ। ଏଥିସହ କହିଥିଲେ ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି। ବିଦେଶରେ ଥିଲେ ବି ମନ ଆପଣଙ୍କ ନିକଟରେ ଥିଲା। ସବୁ ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ ଜଣାଇ ବେଶ୍‌ ଭାବବିହ୍ୱଳ ହୋଇପଡ଼ିଲେ ମୋଦି। ଏହି ଅବସରରେ ଜୟବିଜ୍ଞାନ, ଜୟ ଅନୁସନ୍ଧାନର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ । ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ ଓ ଲଢୁଆ ଭାରତ । ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ ବୋଲି କହିଛନ୍ତି ମୋଦି । ଏହି ଅବସରରେ ବୈଜ୍ଞାନିକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଭାରତ ଏବେ ଚନ୍ଦ୍ରରେ ପହଞ୍ଚି ଯାଇଛି। ଏହାପଛରେ ଆପଣମାନଙ୍କ ଧୈର୍ୟ୍ୟ ସାମର୍ଥ୍ୟ, ତପସ୍ୟା ଥିବା ବେଳେ ତାହା ସମ୍ମୁଖରେ ମୁଁ ନତମସ୍ତକ ହେଉଛି। ଗତ ବୁଧବାର ଚନ୍ଦ୍ରୟାନ-୩ ସଫ୍ଟଲ୍ୟାଣ୍ଡିଂ ବେଳେ ଦକ୍ଷିଣଆଫ୍ରିକା ଜୋହାନ୍ସବର୍ଗରୁ ଭର୍ଚୁଆଲ୍‌ ମୋଡ୍‌ରେ ମିଶନ ଅପରେସନ କଂପ୍ଲେକ୍ସ ସହ ଯୋଡ଼ି ହୋଇଥିଲେ। ଏଥିସହ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.