ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ବୈଜ୍ଞାନିକଙ୍କୁ ଭେଟିଥିଲେ ଏବଂ ଚନ୍ଦ୍ରାୟନ୩ ପାଇଁ ସେମାନଙ୍କର ପରିଶ୍ରମ ଓ ଧୈର୍ୟ୍ୟକୁ ଶତ ପ୍ରଶଂସା କରିଥିଲେ । ଏହି ଅବସରରେ ମୋଦୀ କହିଥିଲେ ଯେ, ‘ ସେ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ଥିଲେ ବି ତାଙ୍କ ମନ କିନ୍ତୁ ଭାରତରେ ଥିଲା । ଅଗଷ୍ଟ ୨୩ ତାରିଖରେ ତାଙ୍କର ପ୍ରତିଟି ମୁହୂର୍ତ୍ତକେବଳ ଚନ୍ଦ୍ରଯାନ ପାଇଁ ଚିନ୍ତିତ ଥିଲା । ଆଉ ଯେତେବେଳେ ଚନ୍ଦ୍ରଯାନ ଚନ୍ଦ୍ର ମାଟିରେ ପାଦ ଥାପିଲା ତାଙ୍କର ମନର ଅବସ୍ଥା ବର୍ଣ୍ଣନା କରିବା କଷ୍ଟକର । ବୈଜ୍ଞାନିକଙ୍କୁ ସମ୍ବୋଧନବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ବିକ୍ରମରେ ଭରି ରହିଛି ବିଶ୍ୱାସ । ସେହିପରି ରୋଭର ପ୍ରଜ୍ଞାନ ବି ପରାକ୍ରମରେ କାହାଠୁ କମ୍ ନୁହେଁ। ତେଣୁ ମୁଁ ଆପଣ ସମସ୍ତଙ୍କୁ ସାଲ୍ୟୁଟ କରୁଛି। ଆପଣଙ୍କ ଆତ୍ମ ବିଶ୍ୱାସ, ଧୈର୍ୟ୍ୟ ଓ କଠିନ ପରିଶ୍ରମ ନିକଟରେ ବି ବି ମୁଁ ନତମସ୍ତକ ହେଉଛି। କାରଣ ଏହା ହେଉଛି ନୂଆ ଭାରତର ନୂଆ ଚିନ୍ତାଧାର। ଏକବିଂଶ ଶତାଦ୍ଦିରେ ଭାତର ଦୁନିଆ ସମ୍ମୁଖରେ ଛିଡ଼ା ହୋଇଥିବା ବଡ଼ ବଡ଼ ସମସ୍ୟାର ସମାଧାନ ଆଖି ପିଛୁଳାକେ କରି ପାରିବ ।
ଇସ୍ରୋ ସେଣ୍ଟରରେ ନିଜ ଅଭିଭାଷଣରେ ବୈଜ୍ଞାନିକମାନଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ସେମାନଙ୍କ ପ୍ରଶଂସାରେ ଶତମୁଖ ହୋଇ ଏପରି କହିଛନ୍ତି। ମୋଦି କହିଛନ୍ତି, ଅଗଷ୍ଟ ୨୩ର ପ୍ରତି ମୁହୂର୍ତ୍ତ ମୋଦ ଆଖି ଆଗକୁ ବାରମ୍ବାର ଚାଲି ଆସୁଛି। ଯେତେବେଳେ ଆମର ଚନ୍ଦ୍ରଯାନ ଅଙ୍ଗଦ ପରି ଚନ୍ଦ୍ର ଉପରେ ନିଜ ଗୋଡ଼ରେ ଛିଡ଼ା ହୋଇଥିଲା ଉକ୍ତ ମୁହୂର୍ତ୍ତକୁ ଭୁଲି ହେଉନି । ଗତଥର ଚନ୍ଦ୍ରଯାନ-୨ ସମୟରେ ଆମକୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଏଥର କିନ୍ତୁ ଚନ୍ଦ୍ରଯାନ-୩ ସଫଳ ହେବାକୁ ବାଧ୍ୟ ହୋଇଥିଲା। କାରଣ ଏହା ପଛରେ ଇସ୍ରୋ ବୈଜ୍ଞାନିକଙ୍କ ଦିନରାତିର ଅକ୍ଳାନ୍ତ ପରିଶ୍ରମ ଓ ତପସ୍ୟା ରହିଥିଲା।
ଆମ ଦେଶର ଆଜିର ଯୁବପିଢ଼ୀ ଏବେ ବିଜ୍ଞାନ, ଅନୁସନ୍ଧାନ ପ୍ରତି ନିଜର ଖାସ୍ ରୁଚି ରଖୁଥିବା ବେଳେ ଏହା ପଛରେ ବି ଆମ ବୈଜ୍ଞାନିକଙ୍କ ହାତ ରହିଛି। ତେଣୁ ଆପଣଙ୍କ ସଫଳତା କେବଳ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂରେ ଶେଷ ହୋଇ ଯାଇନି, ଆପଣମାନେ ଭାରତର ପୂରା ଯୁବ ପୀଢ଼ିଙ୍କୁ ଜାଗ୍ରତ କରିଛନ୍ତି। ତେଣୁ ଏବେ ଏକ ଛୋଟ ପିଲା ରାତିରେ ଜନ୍ମ ମାମୁକୁ ଦେଖିଲେ ତା’ ଭିତରେ ଆତ୍ମବିଶ୍ୱାସ ଭରି ଉଠିବ । ମୋ ଦେଶ ନିଷ୍ଠା ବଳରେ ଜହ୍ନରେ ପହଞ୍ଚି ପାରିଥିବା ବେଳେ ମୁଁ ବି କିଛି ନୂଆ କରି ପାରିବି ବୋଲି ତା ଭିତରେ ବିଶ୍ୱାସ ଜନ୍ମିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ ଭାରତ ପାଖରେ ନିଜସ୍ୱ ଜ୍ଞାନକୌଶଳ ନ ଥିଲା। ତୃତୀୟ ବିଶ୍ୱର ଦେଶ ଭାବେ ଆମର ଗଣତି ହେଉଥିଲା। କିନ୍ତୁ ସେଥିରୁ ବାହାରି ଆମେ ଏବେ ଦୁନିଆର ସର୍ବଶ୍ରେଷ୍ଠ-୫ ଅର୍ଥନୀତି ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହୋଇ ପାରିଛୁ। କିନ୍ତୁ ଆଜି ସ୍ପେଶଠୁ ଆରମ୍ଭ କରି ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା ସବୁ କ୍ଷେତ୍ରରେ ଭାରତ ପ୍ରମୁଖ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଉଛି। ତେଣୁ ଆମେ ତୃତୀୟ ଧାଡ଼ିରୁ ପ୍ରଥମ ଧାଡ଼ିରେ ପହଞ୍ଚିବାରେ ଇସ୍ରୋର ପ୍ରମୁଖ ଭୂମିକା ରହିଛି। ଇସ୍ରୋ ମେକ୍- ଇନ୍ – ଇଣ୍ଡିଆ ଅଭିଯାନକୁ ଚନ୍ଦ୍ର ପର୍ୟ୍ୟନ୍ତ ନେଇ ପାରିଛି ବୋଲି କହିଛନ୍ତି ମୋଦି।
ଜହ୍ନ ରାଇଜର ଯେଉଁଠି ପାଦ ଥାପିଲା ‘ଚନ୍ଦ୍ରଯାନ-୩’ ଉକ୍ତ ସ୍ଥାନର ନାମକରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ସମଗ୍ର ଦୁନିଆ ଉକ୍ତ ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ନାଁରେ ଜାଣିବ ବୋଲି କହିଲେ ମୋଦି। ଏଥିସହ ଚନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେଲେ ମୋଦି ।
‘ଶିବଶକ୍ତି’ ନାଁ’ର ଯଥାର୍ତତା ପ୍ରତିପାଦନ କରିବାକୁ ଯାଇ ମୋଦି କହିଛନ୍ତି, ଶିବ ଶବ୍ଦରେ ମାନବତାର କଲ୍ୟାଣ ପାଇଁ ସଙ୍କଳ୍ପ ଭର୍ତ୍ତି ହୋଇ ରହିଛି। ଆଉ ଶକ୍ତି ନିକଟରୁ ଉକ୍ତ ସଙ୍କଳ୍ପ ପୂରା କରିବାକୁ ଆମକୁ ସାମର୍ଥ୍ୟ ମିଳିଥାଏ । ତେଣୁ ଆଜିଠୁ ଉକ୍ତ ସ୍ଥାନର ନାମକୁ ‘ଶିବଶକ୍ତି’ ନାଁରେ ନାମିତ କରିଛନ୍ତି ମୋଦି । ଅନନ୍ତ ଆକାଶରେ ବହୁ ସମ୍ଭାବନା ଭାରତର ଅପେକ୍ଷା କରୁଛି ବୋଲି ସେ କହିବା ସହ ମାନବତାର କଲ୍ୟାଣ ହିଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବି କହିଛନ୍ତି।
ନ୍ଦ୍ରଯାନ-୨ର ପଦଚିହ୍ନ ସ୍ଥଳକୁ ‘ତ୍ରିରଙ୍ଗା’ ନାଁ ଦେବାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ମୋଦି କହିଛନ୍ତି, ଏବେ ହର ଘର ତ୍ରିରଙ୍ଗା ଓ ହର ମନ ତ୍ରିରଙ୍ଗା । ତେଣୁ ଚନ୍ଦ୍ରରେ ବି ଏବେ ଉଡ଼ୁଛି ତ୍ରିରଙ୍ଗା। ତେଣୁ ଚନ୍ଦ୍ରଯାନ-୨ ଯେଉଁଠି ନିଜ ପଦଚିହ୍ନ ଛାଡ଼ିଛି ଉକ୍ତ ସ୍ଥାନର ନାମ ଆଜିଠୁ ‘ତ୍ରିରଙ୍ଗା’ । କାରଣ ଏହା ସବୁବେଳେ ଆମକୁ ଚେତାଇ ଦେବ ଯେ, କୌଣସି ବିଫଳତା ଶେଷ ନୁହେଁ। ଦୃଢ ଇଚ୍ଛାଶକ୍ତି ଥିଲେ ବିଫଳତା ପରେ ବି ସଫଳତା ମିଳିବ ।
ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ । ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ ଓ ଲଢୁଆ ଭାରତ । ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ ବୋଲି କହିଛନ୍ତି ମୋଦି ।