ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । 19ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି ମୋହନ ସରକାର । ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ମିଳିଛି ବିଭାଗ ଦାୟିତ୍ୱ । ନବୀନ ସରକାରରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଓଡ଼ିଆ ଆଇଏଏସ ଡ. ବିଜୟକେତନ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ମୋହନ ସରକାର ।
କେନ୍ଦୁଝର ଜିଲ୍ଲାପାଳ ଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଥିବା ଆଇଏଏସ ଆଶିଷ ଠାକରେଙ୍କୁ ବୋର୍ଡ ଅଫ ରେଭେନ୍ୟୁର ସଚିବ ଦାୟିତ୍ୱ ମିଳିଛି । ଏନେଇ ବୁଧବାର ବିଳମ୍ବିତ ରାତିରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି । ୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି । ସେହିପରି ଏହି ବଡ଼ ଧରଣର ଆଇଏଏସ ସ୍ତରରେ ଅଦଳବଦଳରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି । ବିଜେଡି ସରକାର ବୋର୍ଡ ଅଫ ରେଭେନ୍ୟୁର ସଚିବ ଭାବେ ନିଯୁକ୍ତ ଥିବା 2009 ବ୍ୟାଚର ଓଡ଼ିଆ ଆଇଏଏସ ଡ. ବିଜୟକେତନ ଉପାଧ୍ୟାୟଙ୍କୁ ନୂଆ ଦାୟିତ୍ୱ ମିଳିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ବିଜୟ ।