ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁପାରେ ମୌସୁମୀ । ତାତିରୁ ମିଳିବ ତ୍ରାହି । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସିମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର କରିବା ପାଇଁ ପାଗ ଅନୁକୂଳ ରହିଛି । ୨୦ରୁ ପାଗ ବଦଳିବ । ୨୧ରୁ ପ୍ରାକ ମୌସୁମୀ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟ ୱେଭ କମିଛି । ତେବେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହିଟ ୱେଭ ଜାରି ରହିଛି ।
ତେବେ ପାଗ ଅନୁକୂଳ ଥିବାରୁ ଓଡ଼ିଶାର କିଛି ଅଞ୍ଚଳ, ପଶ୍ଚିମବଙ୍ଗର କିଛି ଅଞ୍ଚଳ, ଝାରଖଣ୍ଡ, ବିହାର, ପୂର୍ବ ଉତ୍ତରପ୍ରଦେଶକୁ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ପ୍ରବେଶ କରିପାରେ ବୋଲି କହିଛି ପାଣିପାଗ ବିଭାଗ। ଆସନ୍ତା ତିନି ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରୀ କମିମାର ସମ୍ଭାବନା ରହିଛି । ତେବେ ଆଜି ମଧ୍ୟାହ୍ନ ସାଢେ ୨ଟା ସୁ୍ଦ୍ଧା ଦିନ ତାପମାତ୍ରା ଝାରସୁଗୁଡାରେ ୪୦.୮ ଡିଗ୍ରୀ ଥିବାବେଳେ ହୀରାକୁଦରେ ୩୯ ଡିଗ୍ରୀ, ସମ୍ବଲପୁରରେ ୩୮.୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ଭୁବନେଶ୍ୱର: ୩୬.୨ ଡିଗ୍ରୀ, ପୁରୀ:୩୪.୨ ଡିଗ୍ରୀ, ବାଲେଶ୍ୱରରେ ୩୩.୬ ଡ଼ିଗ୍ରୀ, ପାରାଦୀପରେ ୩୨.୬ ଡିଗ୍ରୀ, କେନ୍ଦୁଝରରେ ୩୧.୨ ଡିଗ୍ରୀ ଏବଂ ଗୋପାଳପୁରରେ ୩୦.୬ ଡିଗ୍ରୀ ତାପମାତ୍ରା ରହିଛି ।