ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୀଷଣ ତାତି ଯୋଗୁଁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଛଟପଟ ହେଉଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀକୁ ଛୁଇଁଛି। ଝାରସୁଗୁଡ଼ା ଇତିହାସରେ ଏହା ୬ଷ୍ଠ ଯୁଗ୍ମ ସର୍ବାଧିକ ତାପମାତ୍ରା। ୨୦୦୫ ମେ’ ୨୪ରେ ମଧ୍ୟ ଏଠାରେ ତାପମାତ୍ରା ୪୭ ଡିଗ୍ରୀ ରହିଥିଲା।
ସେହିଭଳି ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ରେ ଝାରସୁଗୁଡ଼ାରେ ସବୁଠୁ ଅଧିକ ୪୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଗୁରୁବାର ପୂରା ପଶ୍ଚିମ ଓଡ଼ିଶା ପ୍ରବଳ ଖରାରେ ଜଳିଛି। ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ୯ ସହର ୪୫ ଡିଗ୍ରୀ ଉପରେ ରହିଥିଲା। ଓଡ଼ିଶାବାସୀ ପ୍ରବଳ ତାତି ଯନ୍ତ୍ରଣାରୁ ମୁକ୍ତ ପାଇବେ । ଜୁନ ୧୨ରେ ମୌସୁମୀ ରାଜ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର-ପୂର୍ବ ଆଡ଼କୁ ଅଗ୍ରସର ହୋଇ ତା’ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର କୋଟାୟାମ ଜିଲ୍ଲାର କିଛି ସ୍ଥାନରେ ପ୍ରଥମ ମୌସୁମୀ ବର୍ଷା ରେକର୍ଡ କରାଯାଇଛି । ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମଣିପୁର, ମିଜୋରାମ ଓ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ । ଜୁନ ୧୨ ପରେ ଓଡ଼ିଶାକୁ ମୌସୁମୀ ଆସିବାର ସମ୍ଭାବନା ରହିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.