ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ, ଜୁନ୍‌ ସୁଦ୍ଧା ତ୍ରୈମାସିକ ବଜେଟ ଖର୍ଚ୍ଚ କରିବାକୁ ପ୍ରମୁଖ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ  ସଞ୍ଜୟ କୁମାର ସିଂହ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି । ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହଅଧ୍ୟକ୍ଷତା କରି ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ପ୍ରଥମ ତିନିମାସ ପାଇଁ ଅନୁମୋଦିତ ହୋଇଥିବା ବ୍ୟୟବରାଦକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ତିନିମାସ ପାଇଁ ବିଭାଗ ବଜେଟର ୨୫ ପ୍ରତିଶତ ବ୍ୟୟ ଧାର୍ଯ୍ୟ ଥିଲେ ହେଁ ଅନେକ ଡିଭିଜନରେ ଏହି ଲକ୍ଷ୍ୟ ହାସଲ ହୋଇପାରିନାହିଁ ।

ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ପ୍ରଥମ ତ୍ରୈମାସିକ ଅନୁଦାନ ସମ୍ପୂର୍ଣ୍ଣ ବ୍ୟୟ କରିବା ପାଇଁ ସଞ୍ଜୟ   ସିଂହ କଡା ନିର୍ଦ୍ଦେଶ ଦେବା ସହ ଅବହେଳା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ଉତ୍ତରଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ । ସେହିପରି କ୍ଷେତ୍ରୀୟ ସ୍ତରରେ ବ୍ୟୟ ପାଇଁ ମଗା ଯାଉଥିବା ଅନୁଦାନ ରାଶି ୪୮ ଘଣ୍ଟା ଭିତରେ ମିଳିଯିବା ଜରୁରୀ । ମୁଖ୍ୟଯନ୍ତ୍ରୀମାନେ ଏଥିପ୍ରତି ଯନିବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ । ସମୟସୀମା ମଧ୍ୟରେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟସୀମା କୌଣସି ପରିସ୍ଥିତିରେ ପାର ହେବା ଉଚିତ ନୁହେଁ । ଯୋଗାଯୋଗ ପାଇଁ ଏଣିକି ବିଭାଗକୁ ପ୍ରେରିତ ସମସ୍ତ ଚିଠିପତ୍ର ଓସ୍ୱ୍ୱାସ ମାଧ୍ୟମରେ ପଠାଇବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ପ୍ରାରମ୍ଭରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସର୍ବୋଚ୍ଚ ପ୍ରାଥମିକତା ପ୍ରକଳ୍ପଗୁଡିକର ଆସନ୍ତା ଜୁନ ୭ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି ୨୦୨୪ ଫେବୃୟାରୀ ସୁଦ୍ଧା ପ୍ରକଳ୍ପ ସାରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରା ଯାଇଥିଲା ।

ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ସମସ୍ତ ୬୦ ଗୋଟି ଡିଭିଜନ ଏବଂ ୧୩ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସଞ୍ଜୟ  ସିଂହ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇ.ଆଇ.ସି ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି  ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.