ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହେବ: ‘ସ୍କିଲ୍‌କାର୍ଟ’ ସହ ‘ମୋ କଲେଜ’ର ବୁଝାମଣା ପତ୍ର ସ୍ୱାକ୍ଷର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ‘ସ୍କିଲ୍‌କାର୍ଟ’ (ୟୁଇଟି ମ୍ୟାନପାୱାର ରିର୍ସୋସେସ୍ ଲିମିଟେଡ୍‌) ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି । ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଓ ୟୁଇଟିର ସହ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଅମିତ କୁମାର ଗୋପ ଉପସ୍ଥିତ ରହି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଏମ୍‌ଓୟୁ ଦ୍ୱାରା ମହାବିଦ୍ୟାଳୟରେ ପଢୁଥିବା ବିଭିନ୍ନ ଛାତ୍ରୀଛାତ୍ରୀଙ୍କ ଦକ୍ଷତାର ବିକାଶ ହେବ । ସେମାନେ ଆଗାମୀ ଦିନରେ କିଭଳି ନିଯୁକ୍ତି ପାଇବେ ତାହା ଉପରେ ବିଭିନ୍ନ ମାଗଦର୍ଶନ ଦିଆଯିବ । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିର ମାର୍ଗ ପ୍ରଶସ୍ତ ହୋଇପାରିବ ।

‘ମୋ କଲେଜ’ ସହଭାଗିତାରେ ୟୁଇଟିର ତିନୋଟି ବ୍ରାଣ୍ଡ ସ୍କିଲ୍‌କାର୍ଟ, ଟିମ୍‌କାର୍ଟ ଓ ବ୍ଲୁକାର୍ଟ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଦେବ । ଏଥିପାଇଁ ପିଲାଙ୍କୁ ଆଇଟି, ଆଇଟିଇଏସ୍‌, କେପିଓ, ବିପିଓ, ରିଟେଲ୍‌, ବିଏଫ୍‌ଏସ୍‌ଆଇ, ସଫ୍ଟସ୍କିଲ୍‌, ଡିଜିଟାଲ୍ ମାର୍କେଟିଂ, ଭିଏଫ୍‌ଏକ୍ସ ଆଣ୍ଡ ଆନିମେସନ୍ ଏବଂ ଆଡ୍‌ଭାଟାଇଜିଂ ଆଦି କ୍ଷେତ୍ରରେ ପାଠ୍ୟକ୍ରମ ଦିଆଯିବ । ଏହାଦ୍ୱାରା ଏହି ସବୁ କ୍ଷେତ୍ରରେ ନିଯୁକ୍ତି ଲାଗି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହୋଇପାରିବ । ଏହି ପାଠ୍ୟକ୍ରମ ସାରିବା ପରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ମିଳିବ । ଏହି ଏମ୍‌ଓୟୁ ମାଧ୍ୟମରେ ମହାବିଦ୍ୟାଳୟରେ ନିଯୁକ୍ତି ଓ ନିଯୁକ୍ତି ସାଧନା ବିଷୟ ଉପରେ ବିଭିନ୍ନ ପ୍ରକାରର ଅନ୍‌ଲାଇନ୍ ଆଲୋଚନାଚକ୍ର ମଧ୍ୟ କରାଯିବ । ବିଶେଷଜ୍ଞମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ନିଯୁକ୍ତି ଉପରେ ବିଭିନ୍ନ ମାଗଦର୍ଶନ ଦେବେ । ଅନ୍ୟପକ୍ଷରେ, ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀ ୟୁଇଟିର ଟିମ୍‌କାର୍ଟ ମାଧ୍ୟମରେ ନିଯୁକ୍ତି ପାଇପାରିବେ ।

କାର୍ଯ୍ୟକ୍ରମରେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ କହିଲେ, “ଆଜିର ସମୟରେ ଶିକ୍ଷା ସହିତ ଦକ୍ଷତାର ବିକାଶ ନିହାତି ଦରକାର । ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଏହା ଉପରେ ଅଧିକ ଫୋକସ୍ କରିବା ଉଚିତ୍ । ଆଗାମୀଦିନରେ ଓଡ଼ିଶା ପାଇଁ ବହୁତ ସୁବର୍ଣ୍ଣ ସୁଯୋଗ ଆସିବ । ଏଥିପାଇଁ ଆମେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ସହିତ ସେମାନଙ୍କର ଜ୍ଞାନକୌଶଳ କିଭଳି ଅଧିକ ସୁଦୃଢ଼ ହୋଇପାରିବ ସେ ଉପରେ ଆମେ ଚେଷ୍ଟା କରିବା ଦରକାର ।” ଅନ୍ୟପକ୍ଷରେ ୟୁଇଟିର ଶ୍ରୀ ଗୋପ କହିଲେ ଯେ, “ଆମ ସଂସ୍ଥା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦକ୍ଷତା ବିକାଶ ଉପରେ ବିଭିନ୍ନ ପ୍ରଶିକ୍ଷଣ ଦେବ । ଏହା ସହ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବାର ବ୍ୟବସ୍ଥା କରାଯିବ ।” ଏମ୍‌ଓୟୁ ସ୍ୱାକ୍ଷର ସମୟରେ ‘ମୋ କଲେଜ’ର ଆଦିତ୍ୟ ଚୌଧୁରୀ ଓ ସ୍କିଲକାର୍ଟର ଦୀପ୍ତିରଞ୍ଜନ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.