ଆସନ୍ତା କାଲି ଆସୁଛନ୍ତି ନରେନ୍ଦ୍ର ମୋଦି; ସୁରକ୍ଷା ଦାୟିତ୍ବରେ ୮୧ ପ୍ଲାଟୁନ ଫୋର୍ସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଟ ୮୧ପ୍ଲାଟୁନ ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିବେ | ଏହାଛଡା,  ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହେବେ। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଏହି କଟକଣା ରହିବ।

କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ହେବ। ଏହା ସହ ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବାକୁ ପଡ଼ିବ। ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ମଧ୍ୟ ଯାଇପାରିବେ।ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ। ୧୭ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ଜନତା ମଇଦାନରେ ସେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ସକାଳ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ଜନତା ମଇଦାନ ଯିବେ।

ପୂର୍ବାହ୍ଣ ୧୨ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମ ପରେ ସେ ପୁଣି ସିଧାସଳଖ ବିମାନବନ୍ଦର ଯାଇ ନୂଆଦିଲ୍ଲୀ ଫେରିଯିବେ ବୋଲି ପୁଲିସ ଆୟୁକ୍ତ ଶ୍ରୀ ପଣ୍ଡା କହିଛନ୍ତି। ଅପରପକ୍ଷେ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଜନତା ମଇଦାନ ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟ‌ାନ କରିଥିଲେ।

Leave A Reply

Your email address will not be published.