ନବୀନ-ନୀତିଶ ଭେଟ, କ’ଣ ହେଲା ଆଲୋଚନା ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସେ ମହାମେଣ୍ଟ ଗଠନ କରିବା ପାଇଁ ଓଡ଼ିଶା ଆସିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଉଭୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।ନବୀନଙ୍କ ସହ ସାକ୍ଷାତ ପରେ ନୀତିଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ଆମ ଭିତରେ ପୁରୁଣା ସମ୍ପର୍କ ରହିଛି । ଆମେ ଉଭୟ ପୁରୁଣା ବନ୍ଧୁ । ନବୀନ ବାବୁଙ୍କୁ ଭେଟିବା ପାଇଁ ଅନେକ ଦିନରୁ ଇଚ୍‌ଛା ଥିଲା । ଆଜି ଦେଖା ହେଲା । ଦୁଇ ପୁରୁଣା ବନ୍ଧୁ କଥା ହେଲୁ । ପରସ୍ପର ଭିତରେ ବହୁତ ଭଲ ସମ୍ପର୍କ ଆମର ରହିଛି ।

ତେବେ ଆଜିର ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା ନୀତିଶ କୁମାର କହିଛନ୍ତି । ସେହିପରି ନବୀନ କହିଛନ୍ତି ଯେ ମେଣ୍ଟନେଇ କୌଣସି ଆଲୋଚନା ହୋଇନି । ଆଜିର ବୈଠକରେ ମେଣ୍ଟ ଆଲୋଚନା ହୋଇନି । ଆମେ ଉଭୟ ପୁରୁଣା ବନ୍ଧୁ । ବାଜପେୟୀଙ୍କ ସରକାରରେ ଆମେ ଉଭୟ ମନ୍ତ୍ରୀ ଥିଲୁ । ପୁରୀରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ଜମି ଯୋଗାଇବୁ ।

ପୁରୀରେ ବିହାର ଭବନ ପାଇଁ ଦେଢ ଏକର ଜମି ଦିଆଯିବ । ସମ୍ପୂର୍ଣ୍ଣମାଗଣାରେ ଜମି ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଭୁବନେଶ୍ୱର ବିମାନବବନ୍ଦରରେ ପହଂଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ନବୀନ ନିବାସ ନିଆଯାଇଥିଲା । ଯେଉଁଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଉଭୟ ନବୀନ ଓ ନୀତିଶ ମଧ୍ୟାହ୍ନଭୋଜନ କରିଥିବା ସୂଚନ ମିଳିଛି ।

Leave A Reply

Your email address will not be published.