ନବୀନଙ୍କ ମନ୍ତ୍ରିମଣ୍ଡଳ ପୁନର୍ଗଠନ ‘ନୂଆ ବୋତଲ ପୁରୁଣା ମଦ’: ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସରକାରଙ୍କୁ ଘେରିଲେ ବିରୋଧି। ବିଜେପି କହିଲା ପୁରୁଣା ବୋତଲରେ ନୂଆ ମଦ। କଂଗ୍ରେସର ମତ ଏସରକାରରେ ବିରୋକ୍ରାଟ କରିତକର୍ମା, ମନ୍ତ୍ରୀମାନଙ୍କର ନାହିଁ କୌଣସି ଭୂମିକା। ଏପଟେ  ନିଜ ଦାୟିତ୍ବକୁ ସୁଚାର ରୂପେ ତୁଲାଇବାକୁ କହିଲେ ୩ ମନ୍ତ୍ରୀ। ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ହୋଇଥିବା ବେଳେ ଏହାକୁ ନେଇ ବିଜେପି ଏକାଧିକ ପ୍ରଶ୍ନ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ନୂଆ କିଛି ନାହିଁ । କ୍ୟାବିନେଟ୍ ପୁନର୍ଗଠନକୁ ଗୋଲକ ନୂଆ ବୋତଲରେ ପୁରୁଣା ମଦ ବୋଲି କହିଛନ୍ତି । ମନ୍ତ୍ରୀ ପଦ ପାଇଥିବା ୩ ନେତା ବରିଷ୍ଠ ଓ ଅଭିଜ୍ଞ ବୋଲି ବିଶ୍ୱାସ କରାଯାଏ କହିବା ସହ ଗୋଲକ ପଚାରିଛନ୍ତି ପୂର୍ବରୁ ଏମାନେ କଣ ଅଭିଜ୍ଞ ନଥିଲେ କି ? ପୂର୍ବରୁ ଏହି ୩ ଜଣ ମନ୍ତ୍ରୀ ବି ଥିଲେ । ସେମାନଙ୍କୁ କାହିଁକି ମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇଥିଲା ?

ସେ ଆହୁରି କହିଛନ୍ତି, ବିଜେଡି ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ଲାଗି ୩ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ବିଜେଡିରେ ଏକାଧିକ ନେତା ଅସନ୍ତୁଷ୍ଟ ହୋଇ ଅଛନ୍ତି । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ସମୀର ଦାଶଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା । ସେହିଭଳି ମହିଳା ବିଜେଡି କର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଶ୍ରୀକାନ୍ତ ସାହୁଙ୍କ ଠାରୁ ମନ୍ତ୍ରୀପଦ କାଢ଼ି ନିଆଯାଇଥିବା କହିଛନ୍ତି ଗୋଲକ । ୨ ନେତାଙ୍କ ଠାରୁ ମନ୍ତ୍ରୀ ପଦ ଛଡ଼ାଇ ନେଇ ସରକାର ମାନିଛନ୍ତି ସେମାନଙ୍କ ଦୋଷ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସରକାର ଉଭୟ ନେତାଙ୍କ ବିରୋଧରେ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି ବିଜେପି ନେତା । ନୂଆ କରି ମନ୍ତ୍ରୀ ପଦ ଶପଥ ନେଇଥିବା ୬ ଥରର ବିଧାୟକ ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ ମିଳିଥିବା ବେଳେ ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସାରଦା ନାୟକଙ୍କୁ ଶ୍ରମ ବିଭାଗ ମନ୍ତ୍ରୀ ଦାୟିତ୍ୱ ।

Leave A Reply

Your email address will not be published.