ଜଗନ୍ନାଥଙ୍କ ଅମୃତ ମଣୋହି ଜମିରୁ ଲୁଟ ହୋଇଛି କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ, ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ତଣ୍ଡର ନିର୍ଦ୍ଦେଶ ଦେଲେ ଏନଜିଟି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ଅବହେଳା ଓ ଏଥିପାଇଁ ହୋଇଥିବା ପରିବେଶର କ୍ଷତି ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କାର ତଣ୍ଡ ଗଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ। ଯେଉଁ ସବୁ ଅମୃତ ମଣୋହି ସମ୍ପତ୍ତିରୁ ଲଘୁ ଖଣିଜ ସମ୍ପଦ ଲୁଟ ହୋଇଛି ସେହି ସବୁ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚାରା ରୋପଣ କରି ପରିବେଶ ସୁରକ୍ଷା କରିବାରେ ସହାୟକ ହେବେ ବୋଲି ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ କଲିକତା ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗ, ନିଜିଗଡ଼, ଝିଙ୍କିଝାରି, ଅଣ୍ଡା ଆଦି ଅଞ୍ଚଳରେ ପ୍ରାୟ ୯୮ ଟି ମାଙ୍କଡ଼ା ପଥର ଓ କଳା ପଥର ଖଣି ରହିଛି। ଏଥିରୁ ମାତ୍ର ୪ ଟି ଖଣି ଜିଲା ପ୍ରଶାସନର ଅନୁମତି ଥିବାବେଳେ ଗୋଟିଏ ମାତ୍ର ଖଣିର ପରିବେଶ ଅନୁମତି ରହିଛି।
ଏହି ଖଣି ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବା ସହିତ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁଯାୟୀ ବେଆଇନ ପଥର ଖଣି ଖନନ ନେଇ ୬୧ ଟି ମାମଲା ରୁଜୁ ହୋଇଥିବା ବେଳେ ୭୫ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଦୁଭୂଷଣ ହରିଚନ୍ଦନ ଓ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବି ଅମିତ ସ୍ଥାଲେକର ଓ ସଦସ୍ୟ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଏନଜିଟିଙ୍କ ଖଣ୍ଡପୀଠ ଆସନ୍ତା ୪ ମାସ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ୧୨ କୋଟି ଟଙ୍କାର ତଣ୍ଡ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆକ୍ସନ ଟେକେନ ରିପୋର୍ଟ ଏନଜିଟିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।