ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ରାଜଧାନୀରେ ରାସ୍ତା କଡରେ ବୁଲିବେନି ଭିକାରୀ । ରାସ୍ତାରେ ଭିକାରୀଙ୍କୁ ଉଠାଇ ନେବ ବିଏମ୍ସି ସ୍କାଡ । ଆଗକୁ ପାର୍ବଣ ରୁତୁ ଆସୁଥିବା ବେଳେ ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ବିଏମସି ଆରମ୍ଭ କରିଛି ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ୱରକୁ ବଂଜାରମାନେ ଆଉ ଥରେ ଆସିବା ଆରମ୍ଭ କରିଦେଇଛନ୍ତି । କେତେକ ମନ୍ଦିରରେ ଭିକାରୀ ବସିବା ଦେଖାଯାଉଛି । ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ ଏହି ନୂଆ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ପାର୍ବଣ ଋତୁରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ୱତନ୍ତ୍ର ସ୍କାଡ ଗଠନ କରିବାକୁ ନିର୍ଦେଶ ଦିଆଯାଇଛି । ବିଏମ୍ସିର ୩ଟି ତିନୋଟି ଜୋନ୍ରେ ସ୍କାଡ ଗଠନ କରାଯିବ । ଏହି ସ୍କାଡ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ବାବଧାନରେ ରହିବ ।
ମନ୍ଦିର ଓ ପୂଜା ସ୍ଥଳୀରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କାଡ ନିୟମିତ ତଦାରଖ କରିବାକୁ କୁହାଯାଇଛି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇ ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।