ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଆରସିସିଏଫ) କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷର ହାତୀ ଗଣନା ରିପୋର୍ଟ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁଯାୟୀ ବାରିପଦା ବନ ସର୍କଲରେ ସମୁଦାୟ ହାତୀଙ୍କ ସଂଖ୍ୟା ୪୩୧ ରହିଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୨୦୦ରୁ ଉର୍ଦ୍ଧ୍ବ ହାତୀଙ୍କ ସଂଖ୍ୟା କମିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଆରସିସିଏଫ) ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି।
ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ହାତୀ ଗଣନା କରାଯାଇଥିଲା। ହାତୀ ଗଣନା ଶେଷ ହେବା ପରେ ହାତୀଙ୍କ ସଂଖ୍ୟା ୪୩୧ ଥିବା ନେଇ ସୃଷ୍ଟ ରିପୋର୍ଟ ପ୍ରଦାନ ହୋଇଛି। ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ବନଖଣ୍ଡ ମାନଙ୍କରେ ସମୁଦାୟ ୩୩୦ ହାତୀ ରହିଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୦୪ଗୋଟି ହାତୀ ରହିଛନ୍ତି। ସେହିପରି ବାରିପଦା ବନଖଣ୍ଡରେ ୧୦୫, କରଞ୍ଜିଆରେ ୧୮, ରାଇରଙ୍ଗପୁରରେ ୩, ବାଲେଶ୍ଵର ଜିଲ୍ଲାର କୂଳଡିହାରେ ୬୮, କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୩୩ଗୋଟି ହାତୀ ରହିଛନ୍ତି।
ତେବେ ଏହି ହାତୀ ଗଣନା ପରେ ହାତୀଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ଜଣାପଡିଛି। ଏହା ପୂର୍ବରୁ ୨୦୧୭ ମସିହାରେ ହାତୀ ଗଣନା କରାଯାଇଥିଲା। ହାତୀ ଗଣନା ପାଇଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ମାନଙ୍କରେ ମଞ୍ଚା ନିର୍ମାଣ କରାଯାଇ ବନ କର୍ମଚାରୀ ମାନଙ୍କ ଦ୍ଵାରା ହାତୀ ଗଣନା କରାଯାଇଥିଲା। ୪୩୧ ହାତୀଙ୍କ ମଧ୍ୟରେ ଅଣ୍ଡିରା ହାତୀ, ମାଇ ହାତୀ ସମେତ ହାତୀ ଛୁଆ ରହିଛନ୍ତି। ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ଦୁଇ ଥର ଗ୍ରୀଷ୍ମ ଋତୁ ଓ ଶୀତ ଋତୁରେ ହାତୀ ଗଣନା କରାଯିବ ବୋଲି ଡ଼ଃ ଗୋଗିନେନି କହିଛନ୍ତି। ଉକ୍ତ ସମୟରେ ହାତୀ ମାନଙ୍କ ଅନ୍ୟ ସ୍ଥାନକୁ ସ୍ଥାନାତ୍ୱର ପ୍ରକ୍ରିୟା ଜାରି ଥିବା ବେଳେ ଗଣନା ନିମନ୍ତେ ସହାୟକ ହୋଇଥାଏ। ତେବେ ଉକ୍ତ ହାତୀ ଗଣନା ରିପୋର୍ଟ ପରେ ହାତୀ ସଂଖ୍ୟା କମିବାକୁ ନେଇ ପଶୁପ୍ରେମୀ ମାନଙ୍କ ମନରେ ଦୁଃଖ ଦେଇଛି।