ଓଡ଼ିଶା ସରକାର ନିଜ ଅବହେଳା କାରଣରୁ କେନ୍ଦ୍ରୀୟ ଅନୁଦାନ ହରାଇବା ପରିସ୍ଥିତି ସୃଷ୍ଟି କରୁଛନ୍ତି – ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ସରକାର ନିଜର ଅବହେଳା କାରଣରୁ ପିଏମ ପୋଷଣ ଓ ଅନ୍ୟାନ୍ୟ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ହରାଇବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ସେ କହିଛନ୍ତି ଯେ ପିଏମ ପୋଷଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରି କେନ୍ଦ୍ର ଉପରେ ଦୋଷ ଲୋଦିବା କେତେଦୂର ଯୁକ୍ତିଯୁକ୍ତ ? ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗତ ୧୬ ମାର୍ଚ୍ଚ ୨୦୨୩ ଦିନ ପତ୍ର ଲେଖି ପିଏମ ପୋଷଣ ଯୋଜନାରେ ଦ୍ୱିତୀୟ କିସ୍ତି ମିଳିନଥିବା କଥା କହିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିସ୍ତୁତ ଭାବେ ତଥ୍ୟ ପ୍ରଦାନ କରିଥିଲେ ।

ରାଜ୍ୟ ସରକାରଙ୍କ ଦ୍ୱାରା ମୂଳ ବଜେଟରେ ସ୍ୱଳ୍ପ ଅର୍ଥ ଏବଂ ଅତିରିକ୍ତ ବଜେଟରେ କୌଣସି ଅର୍ଥ ଆବଣ୍ଟନ ନ କରିବା ପରେ ବି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପ ପରେ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ପିଏମ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟତିତ ରାଜ୍ୟ ସରକାର ପିଏଫଏମଏସ ମାଧ୍ୟମରେ ବିସ୍ତୃତ ପ୍ରସ୍ତାବ ପ୍ରଦାନ କଲେ ଆହୁରି ୨୫ କୋଟି ଟଙ୍କା ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାର ଆବଶ୍ୟକ ଓ ଅତିରିକ୍ତ ବଜେଟ୍ ନ କରିବା ସତ୍ତ୍ୱେ ବି କେନ୍ଦ୍ର ସରକାର ପିଏମ ପୋଷଣର ଦ୍ୱିତୀୟ କିସ୍ତି ପାଇଁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେବା ପାଇଁ ସେ କହିଛନ୍ତି ।

ପିଏମ୍ ପୋଷଣ ପାଇଁ ଯୋଜନା ମଞ୍ଜୁରୀ ବୋର୍ଡ ଦ୍ୱାରା (Project Approval Board) ଗୃହୀତ ବାର୍ଷିକ କାର୍ଯକ୍ରମ ପାଇଁ ରାଜ୍ୟ ବଜେଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ଭାଗର ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ଥାଏ । ବାସ୍ତବିକ ଖର୍ଚ୍ଚ ଓ ସମ୍ବଳିତ ୟୁସି ଆଦି ଦେଲା ପରେ ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ଠାରୁ କିସ୍ତି ଆକାରରେ କେନ୍ଦ୍ର ଅନୁଦାନ ପାଇଥାନ୍ତି । ତ୍ରିପୁରା, ତାମିଲନାଡୁ, ଗୁଜୁରାଟ ଭଳି ସବୁ ରାଜ୍ୟ ଏହି ଯୋଜନାକୁ ସୂଚାରୁ ରୂପେ ତୁଲାଉଛନ୍ତି । ଓଡ଼ିଶା ମଧ୍ୟ ଆଜି ଯାଏ ଏହି ପ୍ରକ୍ରିୟାରେ ଯୋଜନାକୁ କାର୍ଯ୍ୟକାରୀ କରିଆସୁଥିଲା। ୨୦୨୨-୨୩ ମସିହାରେ ଓଡ଼ିଶାର ମଧ୍ୟାହ୍ନ ଭୋଜନ ଯୋଜନାରେ ମୋଟ ଖର୍ଚ୍ଚ ଅନୁମାନ ୯୦୬.୯ କୋଟି ଥିଲା ବେଳେ ଏହାପାଇଁ ୫୭୫.୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଓ ବାଧ୍ୟତାମୂଳକ ରାଜ୍ୟ ଭାଗ ୩୩୦.୯ କୋଟି ଥିଲା।

ଓଡ଼ିଶା ସରକାର କିନ୍ତୁ ଏହି ଯୋଜନା ପାଇଁ ରାଜ୍ୟ ବଜେଟରେ ୯୦୬.୯ କୋଟି ବଦଳରେ ୮୮୯.୯ କୋଟି ଅନୁଦାନ ଅର୍ଥାତ ରାଜ୍ୟ ସରକାର ବଜେଟରେ ୧୬.୯ କୋଟି ଟଙ୍କା କମ ବଜେଟ୍ ଦେଇଥିଲେ । ଯୋଜନାରେ ପିଲାମାନଙ୍କୁ ସୁଷମ ଖାଦ୍ୟର ମାନ ବଢାଇବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର, ୨୦୨୨ରେ ଏହି ଯୋଜନାରେ ଯୋଗାଉଥିବା ସାମଗ୍ରୀ ଚାଉଳ, ଡାଲି ରୋଷେଇ ସାମଗ୍ରୀ ଓ ପରିବହନ ଖର୍ଚ୍ଚ ଆଦିର ଅନୁଦାନ ରାଶି ୯.୬ ପ୍ରତିଶତ ବୃଦ୍ଧି କରିଥିଲେ । ଏହି ଅନୁସାରେ ଓଡ଼ିଶା ସରକାର ନିଜ ତରଫରୁ ଏ ନେଇ କୌଣସି ଅତିରିକ୍ତ ବଜେଟ୍ ଆବଣ୍ଟନ କଲେ ନାହିଁ । ଫଳସ୍ୱରୂପ ମୂଳ ନିଅଣ୍ଟ ୧୬.୯ କୋଟିରୁ ବଢ଼ି ୫୦.୯ କୋଟିରେ ପହଞ୍ଚିଲା । ବର୍ତ୍ତମାନ ଓଡ଼ିଶା ସରକାର ଲେଖି କରି ଜଣାଇଛନ୍ତି ଯେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅତିରିକ୍ତ ବଜେଟ ବ୍ୟବସ୍ଥା କରିପାରିବେ ନାହିଁ ।

ନିଜ ବିଭାଗ ଓ ନିଜ ସରକାରର ଅବହେଳାକୁ ଅଣଦେଖା କରି କେନ୍ଦ୍ର ଉପରେ ଦୋଷ ଦେବା ପାଇଁ ଅପଚେଷ୍ଟା କରିଛନ୍ତି । ଏହା ସତ୍ତ୍ୱେ ବି ଭାରତ ସରକାର ନିଜ ତରଫରୁ ଦ୍ୱିତୀୟ କିସ୍ତି ପାଇଁ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ବଜେଟରେ କମ ପଇସା ଦେଲେ । ଗତବର୍ଷ ନଭେମ୍ବରରେ ରାଜ୍ୟର ଅତିରିକ୍ତ ବଜେଟରେ ଖେଳକୁଦ, ନାଚଗୀତ, ଯାନି ଯାତ୍ରା ଓ ହକି ଷ୍ଟାଡିୟମ ପାଇଁ ବଜେଟ୍ ଦେଲେ କିନ୍ତୁ ସ୍କୁଲରେ ପିଲା ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ପଇସା ଦେବାକୁ ଭୁଲିଗଲେ । ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ପାଇଁ ଅତିରିକ୍ତ ବଜେଟ୍ ବ୍ୟବସ୍ଥା କରିବା ଉଚିତ୍ କି ନୁହେଁ ? ଯେଉଁ ସରକାର ନାଚଗୀତ ପାଇଁ କୋଟି କୋଟି ଖର୍ଚ୍ଚ କରିପାରୁଛି, ସେହି ସରକାର ସ୍କୁଲରେ ପିଲା ମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ବଜେଟରେ ଅର୍ଥ ବ୍ୟବସ୍ଥା କରିନପାରିବା ଦୁର୍ଭାଗ୍ୟଜନକ । ଏହା ଓଡ଼ିଶା ସରକାରଙ୍କ ଶିକ୍ଷା ଓ ପୋଷଣ ପ୍ରତି ଥିବା ଘୋର ଉଦାସୀନତା ଓ ସରକାରଙ୍କ ପ୍ରାଥମିକତାରେ ନାହିଁ ବୋଲି ଜଣାପଡ଼ୁଛି ।

ଚିରାଚରିତ ଢଙ୍ଗରେ ନିଜର ଦୋଷ ଦୁର୍ବଳତା ଓ ଅପାରଗତାକୁ କେନ୍ଦ୍ର ଉପରେ ଲଦିବାର ଅପଚେଷ୍ଟା ଓଡ଼ିଶା ସରକାର କରିଆସୁଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନାରେ କେନ୍ଦ୍ରୀୟ ଅବହେଳା ନେଇ ମନ୍ତ୍ରୀ ସମୀର ଦାସ ସୃଷ୍ଟି କରିଥିବା ଅପପ୍ରଚାର ଏହାର ସଦ୍ୟ ଉଦାହରଣ । ଆଜି ଓଡ଼ିଶାରେ ଅଧିକାଂଶ ଶିଶୁ ଅପପୃଷ୍ଟି ଓ ରକ୍ତହୀନତାରେ ଜର୍ଜରିତ । ଓଡ଼ିଶାରେ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ସ୍କୁଲ ଗୁଡିକରେ ସବୁଜ ରଙ୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମାରିବା ଅପେକ୍ଷା ସେମାନଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା କରିବା ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.